କନକ ବ୍ୟୁରୋ : କଟକ ପରିବାର ଅଦାଲତରେ ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷାଙ୍କ ପାରିବାରିକ ବିବାଦର ଶୁଣାଣି ଚାଲିଛି । ପରିବାର ଅଦାଲତରେ ବର୍ଷା ପ୍ରିୟଦର୍ଶିନୀ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି । ଏହି ସମୟରେ ଅନୁଭବଙ୍କ ତରଫରୁ ଆଇନଜୀବୀ ଗୀତା ଲୁଥ୍ରା ବର୍ଷାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । କିନ୍ତୁ କେତେକ ନିର୍ଦ୍ଦିଷ୍ଟ ପ୍ରଶ୍ନକୁ ନେଇ ବର୍ଷା ଆପତି ଉଠାଇଛନ୍ତି । ଅନ୍ୟପକ୍ଷରେ ମାମଲାର ଉପଯୁକ୍ତ ବିଚାର ପାଇଁ ଏହି ସବୁ ପ୍ରଶ୍ନ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବଙ୍କ ତରଫରୁ ଆଇନଜୀବୀ ପରିବାର ଅଦାଲତରେ ଦର୍ଶାଇଥିଲେ । ଏଥିସହିତ ଅଦାଲତରେ ଅନୁଭବଙ୍କ ତରଫରୁ ପ୍ରଶ୍ନ ଇଂରାଜୀରେ କରାଯାଉଥିବାରୁ ଉତର ମଧ୍ୟ ସମାନ ଭାଷାରେ ଦିଆଯିବା ଉଚିତ ବୋଲି ଦର୍ଶାଯାଇଥିଲା । କିନ୍ତୁ ବର୍ଷା ତାଙ୍କୁ ପଚରାଯାଉଥିବା ପ୍ରଶ୍ନର ଉତର ଓଡ଼ିଆରେ ଦେଇଥିଲେ । ଯାହାଫଳରେ ସୋମବାର ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଅଧା ରହିଥିଲା । ତେଣୁ ଆଜି ପୁଣି ବର୍ଷା ଅଦାଲତରେ ହାଜର ହୋଇ ଓ ତାଙ୍କ ପକ୍ଷ ରଖିବେ ।

Advertisment

ଅନ୍ୟପଟେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା ନିଜ ସୋସିଆଲ ମିଡିଆରେ ସମ୍ମାନ, ମର୍ଯାଦା ଓ ଘରୋଇ ହିଂସାକୁ ନେଇ ନିଜର ମତ ରଖିଛନ୍ତି । ଯେଉଁଥିରେ ସେ କହିଛନ୍ତି ସମସ୍ତଙ୍କୁ ସମ୍ମାନ ମିଳିବା ଦରକାର । କେବଳ ମହିଳାଙ୍କ ସମ୍ମାନ ଓ ମର୍ଯ୍ୟାଦା କାହିଁକି ପୁରୁଷଙ୍କ ପାଇଁ କାହିଁକି ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଘରୋଇ ହିଂସାକୁ ନେଇ ମଧ୍ୟ ସେ ମତ ରଖିଛନ୍ତି । ଘରୋଇ ହିଂସାର ଅର୍ଥ କେବଳ ଶାରୀରିକ ନିର୍ଯାତନା ନୁହେଁ ମାନସିକ ନିର୍ଯାତନା ବି ଏହାର ଅଂଶ ବିଶେଷ । ପୁରୁଷ ମାନେ ମଧ୍ୟ ଘରୋଇ ହିଂସାର ଶିକାର ହେଉଛନ୍ତି ବୋଲି କହିଛନ୍ତି । ସେହିପରି ମହିଳାଙ୍କୁ ଗୋଟିଏ ଜିନିଷ ଯେତେଶୀଘ୍ର ମିଳିଥାଏ ପୁରୁଷଙ୍କୁ ଏଥିପାଇଁ ଅଧିକ ସଂଘର୍ଷ କରିବାକୁ ପଡିଥାଏ ।