ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡିଲେ ଅନୁଭବ । ପୁଣି ଆକର୍ଷଣ ସାଜିବେ ନବୀନ

1,829

କନକ ବ୍ୟୁରୋ : ଓଡିଶାର ୨ ବିଧାନସଭା ଆସନରେ ହେବ ଉପନିର୍ବାଚନ । ସରିଛି ତାରିଖ ଘୋଷଣା, ସରିଛି ପ୍ରାର୍ଥୀପତ୍ର ଘୋଷଣା । ଆରମ୍ଭ ହେଲାଣି ଜନସଂପର୍କ ଯାତ୍ରା । ଆରମ୍ଭ ହେଲାଣି ରାଜନୈତିକ ଛକା ପଞ୍ଝା । ଏହା ମଧ୍ୟରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ମୁଖ୍ୟ ୩ ରାଜନୈତିକ ଦଳ ମାନଙ୍କ ମଧ୍ୟରୁ ବିଜେପି ଓ ବିଜେଡି ତାରକା ପ୍ରଚାରକଙ୍କ ତାଲିକା ଘୋଷଣା କରିଛନ୍ତି । ଚିରାଚରିତ ଢଙ୍ଗରେ ବିଜେଡିର ତାରକା ପ୍ରଚାରକ ତାଲିକାରେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ନାମ ରହିଛି ।  ହେଲେ ୨୦୧୪ ନିର୍ବାଚନ ସମୟରୁ ନିର୍ବାଚନୀ ପ୍ରଚାରରେ ବିଜେଡିର ମୁଖ୍ୟ ଆକର୍ଷଣ ସାଜୁଥିବା ଲୋକପ୍ରିୟ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାମ ନରହିବାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି ।

ବିଜେଡି ତାରକା ପ୍ରଚାରକ ତାଲିକାରେ ୩୦ ନାମ । ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ, ବରିଷ୍ଠ ନେତା ଇତ୍ୟାଦି । ହେଲେ ପ୍ରଚାର ତାଲିକା ଆଢୁଆଳରେ ପ୍ରଚାରର ମୁଖ୍ୟ ଆକର୍ଷଣ ଅନୁଭବ ମହାନ୍ତି । କ’ଣ ହୋଇପାରେ କାରଣ ! କାହିଁକି ଦଳରୁ ଅଲୋଡା ହେଲେ ଅନୁଭବ ? । ଏମିତି ଅନେକ ପ୍ରଶ୍ନ ହେଲେ ଉତ୍ତର !

ବିଜେଡି ଶିବିରରେ ଅନୁଭବଙ୍କ ସ୍ଥିତି ଠିକ୍ ଥିଲା ଭଳି ମନେ ହେଉନି । ପତ୍ନୀ ବର୍ଷା ଓ ଅନୁଭବଙ୍କ କଳି ହାଟରେ ପଡି ଦାଣ୍ଡରେ ଗଡିବା ପରେ ଅନୁଭବଙ୍କ ରାଜନୈତିକ ଚରିତ୍ରରେ କଳଙ୍କର ଛିଟା ଲାଗିଛି । ଏହି କଳି ଏତେ ପ୍ରଖର ଗତିରେ ଚାଲୁଛି ଯେ ମାତ୍ର କେଇଟା ଦିନରେ କଳି କଟକରୁ ଦିଲ୍ଲୀ ଯାଏ ପହଂଚି ଗଲା । ଏହି କଳଙ୍କର ଛିଟା ବିଜେଡି ନିଜ ଉପରେ ନଲଗାଇବାକୂୁ ଚେଷ୍ଟା କରୂୁଥିବା ଭଳି ଜଣାପଡିଛି । ୨୦୧୯ ସାଧାରଣ ନିର୍ବାଚନରେ ବିଧାୟକ ଟିକେଟ୍ ତାଲିକାରୁ ବାଦ ପଡିଥିବା ଅଭିନେତା ଆକାଶଦାସ ନାୟକ ପ୍ରଚାର ତାଲିକାରେ ସାମିଲ ହୋଇଥିବା ବେଳେ ଅପରାଜେୟ ଅନୁଭବଙ୍କ ନାମ ଏହି ତାଲିକାରେ ନରହିବା ଏହା ପ୍ରମାଣ କରୁଛି ।