ଷ୍ଟାର୍‌ ଦମ୍ପତି ଅନୁଭବ-ବର୍ଷା ବିବାଦ : ଅନୁଭବଙ୍କୁ ନୋଟିସ୍; ନଭେମ୍ବର ୧୨ରେ ପରବର୍ତ୍ତୀ ଶୁଣାଣି

ଷ୍ଟାର୍‌ ଦମ୍ପତି ଅନୁଭବ-ବର୍ଷା ବିବାଦ : ଅନୁଭବଙ୍କୁ ନୋଟିସ୍; ନଭେମ୍ବର ୧୨ରେ ପରବର୍ତ୍ତୀ ଶୁଣାଣି

କନକ ବ୍ୟୁରୋ : ଘରୋଇ ହିଂସା ଅଭିଯୋଗ ନେଇ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଟକ ସଦର ଏସ୍‌ଡିଜେଏମ୍ ଅଦାଲତରେ ଦାୟର କରିଥିବା ମାମଲାରେ  ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ନୋଟିସ୍ ହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ‌ନଭେମ୍ବର ୧୨କୁ ଧାର୍ଯ୍ୟ କରାଯାଇଥିବାବେଳେ ଜବାବ ରଖିବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଘରୋଇ ହିଂସା ଅଭିଯୋଗ ଆଣି ବର୍ଷା ୨୦୨୦, ଅଗଷ୍ଟ ୭ରେ ଏହି ମାମଲା ରୁଜୁ କରିଥିଲେ। ସେପ୍ଟେମ୍ବର ୭ରେ ସୁରକ୍ଷା ଅଧିକାରୀ ଅନୁଭବଙ୍କ ବାସଭବନରେ ପହଞ୍ଚି ବର୍ଷାଙ୍କ ବୟାନ ରେକର୍ଡ କରିଥିଲେ। ସୁରକ୍ଷା ଅଧିକାରୀ ବର୍ଷାଙ୍କୁ କ’ଣ ସବୁ ନିର୍ଦ୍ଦିଷ୍ଟ ଭାବେ ଘରୋଇ ହିଂସା ସଂପର୍କିତ ଅଭିଯୋଗ ରହିଛି, ସେ ସଂପର୍କରେ ପଚାରି ବୁଝିଥିଲେ। କେବେଠାରୁ ଏଭଳି ନିର୍ଯ୍ୟାତନାର ଶିକାର ହେଉଛନ୍ତି ଏବଂ କାହା ବିରୋଧରେ ନିର୍ଦ୍ଦିଷ୍ଟ ଭାବେ ତାଙ୍କ ଅଭିଯୋଗ ରହିଛି, ସେ ନେଇ ବର୍ଷାଙ୍କୁ ସୁରକ୍ଷା ଅଧିକାରୀ ପଚାରିଥିଲେ।

ଏଥିସହିତ, ‌ଯୌତୁକ ଦାବି ଓ ଅନ୍ୟ ଘରୋଇ ବିବାଦ ପ୍ରସଂଗରେ ବର୍ଷାଙ୍କର କ’ଣ ଅଭିଯୋଗ ରହିଛି, ସେ ନେଇ ମଧ୍ୟ ସୁରକ୍ଷା ଅଧିକାରୀ ପଚାରି ବୁଝିବା ସହିତ ନିର୍ଦ୍ଦିଷ୍ଟ ଫର୍ମରେ ଲେଖିଥିଲେ। ଫର୍ମର ଥିବା ୭ଟି ନିର୍ଦ୍ଦିଷ୍ଟ ପ୍ରଶ୍ନ ଓ ଅନ୍ୟ ତଥ୍ୟ ପୂରଣ କରାଯିବା ପରେ ବର୍ଷା ସେଥିରେ ସ୍ବାକ୍ଷର କରିଥିଲେ। ଏହାପରେ ସୁରକ୍ଷା ଅଧିକାରୀ ଏ ସଂପର୍କିତ ରିପୋର୍ଟ ଅଦାଲତରେ ଦାଖଲ କରିଥିଲେ।

ଏହି ମାମଲାରେ ବର୍ଷାଙ୍କ ଅଭିଯୋଗ ସହିତ ଭରଣପୋଷଣ ଓ ଅନ୍ୟାନ୍ୟ ପ୍ରସଂଗରେ ଅନୁଭବ ଅଦାଲତରେ ପକ୍ଷ ରଖିବେ। ଅନ୍ୟପଟେ ବର୍ଷାଙ୍କ ପକ୍ଷରୁ କଟକ ପରିବାର ଅଦାଲତରେ ତାଙ୍କ ଦାମ୍ପତ୍ୟ ସଂପର୍କର ସୁରକ୍ଷା ଅନୁରୋଧ କରି ଦାୟର ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୪ ତାରିଖରେ ହେବ।

ଉଲ୍ଲେଖଯୋଗ୍ୟ ଯେ,, କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷା ବିଭିନ୍ନ ସଂଗିନ ଅଭିଯୋଗ ଆଣିବା ସହିତ ଭରଣପୋଷଣ ଏବଂ କ୍ଷତିପୂରଣ ବାବଦକୁ ୧୫ କୋଟିରୁ ଅଧିକ ଟଙ୍କା ଦାବି କରି କଟକ ଏସଡିଜେଏମ୍ ଅଦାଲତର ଦ୍ୱାରସ୍ଥ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe