ଅମ୍ବାନୀଙ୍କ ବାସଭବନ ନିକଟରେ ବୋମା ରଖିବା ମାମଲା : ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା ଗିରଫ । ଯୋଜନାରେ ବାଜେଙ୍କ ସହିତ ସାମିଲ ଥିବା ନେଇ ଅଭିଯୋଗ

676

କନକ ବ୍ୟୁରୋ : ରାଷ୍ଟ୍ରୀୟ ଯାଂଚ ଏଜେନ୍ସି (ଏନଆଇଏ) ଗୁରୁବାର ଦିନ ପୂର୍ବ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଚଢାଉ କରିଥିଲା । ଏହାସହ ଏଣ୍ଟିଲିଆରେ ବୋମା ରଖିବା ମାମଲାରେ ତାଙ୍କୁ ପଚରା ଉଚରା କରାଯାଇଥିଲା । କିଛି ଘଂଟା ଜେରା କରିବା ପରେ ଏନଆଇଏ ପ୍ରଦୀପ ଶର୍ମାଙ୍କୁ ଗିରଫ୍ କରିଛି ।

ମୁମ୍ବାଇ ପୋଲିସର ପୂର୍ବ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କ ବାସ ଭବନରେ ଏନଆଇଏର ଏକ ଟିମ୍ ସକାଳେ ପହଂଚିଥିଲେ । ସେଠାରେ ଚଢାଉ କରିବା ସହ ତାଙ୍କୁ ପଚରା ଉଚରା କରିଥିଲେ । ପ୍ରଦୀପ ଶର୍ମା ସଚିନ ବାଜେଙ୍କ ସହଯୋଗୀ ବୋଲି କୁହାଯାଉଛି ।

କହିରଖୁ କି ଏଣ୍ଟିଲିଆ ମାମଲା ଓ ମନସୁଖ ହିରେନ ହତ୍ୟା ମାମଲାରେ ଗିରଫ୍ ହୋଇଥିବା ପୂର୍ବତନ ପୋଲିସ ଅଧିକାରୀ ସଚିନ ବାଜେଙ୍କ ସହ ପ୍ରଦୀପଙ୍କର ଯୋଗା ଯୋଗ ଥିଲା । ଦୁଇଜଣ ଯାକ ମୁମ୍ବାଇ କ୍ରାଇମବ୍ରାଞ୍ଚରେ ଏକା ସାଙ୍ଗରେ କାମ କରୁଥିଲେ । ମନସୁଖ ହିରେନଙ୍କ ହତ୍ୟାଦିନ ସଚିନ ବାଜେଙ୍କ ମୋବାଇଲ ଲୋକେସନ ପ୍ରଦୀପଙ୍କ ଘର ଆଖ ପାଖରେ ରହିଥିଲା । ଏହାପରେ ପ୍ରଦୀପ ଶର୍ମା ଏନଆଇଏର ସନ୍ଦେହ ଘେରକୁ ଆସିଥିଲେ ।

ଏହା ପୂର୍ବରୁ ବି ଏନଆଇଏ ପ୍ରଦୀପ ଶର୍ମାଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କୁ ଜେରା କରିଥିଲେ । କୁହାଯାଉଛି କି ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତମାନଙ୍କ ବୟାନ ଆଧାରରେ ପ୍ରଦୀପ ଶର୍ମାଙ୍କୁ ଗିରଫ୍ କରାଯାଇଛି ।

ଏନଆଇଏ ଏହା ପୂର୍ବରୁ ଏହି ମାମଲାରେ ପୂର୍ବତନ ପୋଲିସ ଅଧିକାରୀ ସଚିନ ବାଜେ, ରିୟାଜୁଦ୍ଦିନ କାଜି, ସୁନୀଲ ମାନେ, ପୂର୍ବତନ ପୋଲିସ କନେଷ୍ଟବଳ ବିନାୟକ ସିନେ୍ଧ ଓ କ୍ରିକେଟ ବୁକି ନରେଶ ଗୌରଙ୍କୁ ଗିରଫ୍ କରିଥିଲା । ଏହାସହ ସନ୍ତୋଷ ସୋଲାର ଓ ଆନନ୍ଦ ଯାଦବଙ୍କୁ ବି ଏହି ମାମଲାରେ ଗିରଫ୍ କରାଯାଇଛି ।

କହିରଖୁ କି ଚଳିତ ବର୍ଷ ଫେବୃଆରୀ ୨୫ ତାରିଖରେ ଦକ୍ଷୀଣ ମୁମ୍ବାଇ ସ୍ଥିତ ଏଣ୍ଟିଲିଆ ପରିସରରେ ଏକ ଏସୟୁବି ଗାଡି ମିଳିଥିଲା । ଏହି ଗାଡିରେ ଜିଲୋଟିନ ଛଡ ରହିଥିଲା । ଏହାପରେ ପୋଲିସ ଏନେଇ ଛାନଭିନ କରୁଥିବା ବେଳେ ଏସୟୁବି ଗାଡିର ମାଲିକ ମନସୁଖ ହିରେନଙ୍କ ମୃତଦେହ ମାର୍ଚ୍ଚ ୫ ତାରିଖରେ ମୁମ୍ବାଇର ଏକ ନାଳରୁ ଉଦ୍ଧାର କରାଯାଇଥିଲା । ଏହାପରେ ମନସୁଖଙ୍କ ପରିବାର ସଚିନ ବାଜେଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଥିଲେ । ଏହି ମାମଲାର ସମ୍ପୂର୍ଣ୍ଣ ଯାଂଚ ଏନଆଇଏ କରୁଛି ।