ଏଣିକି କରୋନାର ହେବ ଫଟାଫଟ ଟେଷ୍ଟ । ୩୦ ମିନିଟରେ ଚିହ୍ନଟ ହେବେ ଆକ୍ରାନ୍ତ । ରାଜ୍ୟରେ ଆଜିିଠୁ ଆରମ୍ଭ ହେଲା ଆଂଟିଜେନ୍ ଟେଷ୍ଟ

1,150

କନକ ବ୍ୟୁରୋ: ଏଣିକି ଆପଣଙ୍କୁ କରୋନା ହୋଇଛି କି ନାହିଁ, ତାହା ମାତ୍ର ଅଧଘଂଟାରେ ଜଣାପଡିଯିବ । ରାଜ୍ୟରେ ଆଜିିଠାରୁ ଆରମ୍ଭ ହୋଇଛି ଆଂଟିଜେନ୍ ଟେଷ୍ଟ । ପ୍ରଥମେ ଗଂଜାମ ଓ କଟକରେ ଟେଷ୍ଟିଂ ଆରମ୍ଭ ହୋଇଛି । ପ୍ରଥମ ଦଫାରେ ୫ ହଜାର ଆଂଟିଜେନ୍ ଟେଷ୍ଟିଂ କିଟ୍ ଆସିଛି । ପରେ ଓଡିଶାକୁ ଆଉ ୨୦ ହଜାର ଟେଷ୍ଟିଂ କିଟ୍ ଆସିବ । ଫଳରେ କରୋନା ପରୀକ୍ଷାକୁ ତ୍ୱରାନ୍ୱିତ କରାଯାଇପାରିବ ।

କରୋନାର ହେବ ଫଟାଫଟ ଟେଷ୍ଟ । ୩୦ ମିନିଟରେ ଚିହ୍ନଟ ହେବେ ଆକ୍ରାନ୍ତ । କରୋନା ପରୀକ୍ଷାରେ ଓଡିଶାରେ ମଙ୍ଗଳବାର ଠାରୁ ଏକ ବଡ ପରିବର୍ତନ ଆସିଛି । ରାଜ୍ୟରେ ଆରମ୍ଭ ହୋଇଛି ଆଂଟିଜେନ୍ ଟେଷ୍ଟ । ପ୍ରଥମେ ଗଂଜାମ ଓ କଟକରେ ଏହି ଟେଷ୍ଟ ଆରମ୍ଭ କରାଯାଇଛି । ପ୍ରଥମ ଦଫାରେ ୫ ହଜାର ଆଂଟିଜେନ୍ ଟେଷ୍ଟିଂ କିଟ୍ ଆସିଛି । ଗତ ୫ ଦିନ ହେଲା ପ୍ରତ୍ୟେକ ଦିନ ୫ ଶହ ପାଖାପାଖି ଆକ୍ରାନ୍ତ ଚିହ୍ନଟ ହେବା ପରେ କରୋନା ପରୀକ୍ଷାକୁ ତ୍ୱରାନ୍ୱିତ କରାଯାଇଛି । କଂଟେନ୍ମେଂଟ ଜୋନ, ହଟ୍ସ୍ପଟ ଓ ସଂକ୍ରମଣ ଆଶଙ୍କା ଥିବା ସ୍ଥାନରେ ଏହି ଟେଷ୍ଟ କରାଯାଉଛି । ଏବେ ନଜର ପକାନ୍ତୁ ଓଡିଶାରେ କେତେ ସଂଖ୍ୟାରେ ପ୍ରତ୍ୟେକ ଦିନ ପରୀକ୍ଷା କରାଯାଉଛି ।

ଜୁଲାଇ ୨- ୬୮୫୧

ଜୁଲାଇ ୩- ୫୫୬୭

ଜୁଲାଇ ୪- ୫୩୧୭

ଜୁଲାଇ ୫- ୪୮୨୭

ଜୁଲାଇ ୬- ୫୫୪୬

ଏହି ଟେଷ୍ଟ ଗୁଡିକୁ ଆର୍ଟି-ପିସିଆର ଟେଷ୍ଟ କୁହାଯାଏ । ଏହା ବ୍ୟୟ ସାପେକ୍ଷ ଏବଂ ୬ରୁ ୭ ଘଂଟା ସମୟ ଲାଗେ । କିନ୍ତୁ ଆଂଟିଜେନ୍ ଟେଷ୍ଟ ୧୫ରୁ ୩୦ ମିନିଟ ମଧ୍ୟରେ ବ୍ୟକ୍ତିଙ୍କ ଦେହରେ କୋଭିଡ ଭୂତାଣୁ ଅଛି କି ନାହିଁ ତାହା ଜଣାଇ ଦେବ । ଗୋଟିଏ କିଟ୍ ୪୫୦ ଟଙ୍କା ପଡୁଥିବା ବେଳେ ଏଥିରେ ପରୀକ୍ଷଣ ଯନ୍ତ୍ର ଏବଂ ନମୂନା ସଂଗ୍ରହ ପାଇଁ ବ୍ୟବସ୍ଥା ରହିଛି । ସାଉଥ କୋରିଆ ସ୍ଥତ ଏସଡି ବାୟୋସେନ୍ସର କମ୍ପାନୀ ଏହି କିଟ୍ ପ୍ରସ୍ତୁତ କରିଛି । ତେବେ ଦ୍ୱିତୀୟ ଦଫାରେ ଓଡିଶାକୁ ଆଉ ୨୦ ହଜାର ଆଂଟିଜେନ୍ ଟେଷ୍ଟିଂ କିଟ୍ ଆସିବ । ଘରୋଇ ହସ୍ପିଟାଲ ଗୁଡିକ ମଧ୍ୟ ଏହି କିଟ୍ ବ୍ୟବହାର କରିବା ନେଇ ସରକାର ଅନୁମତି ଦେବାକୁ ଯୋଜନା କରୁଛନ୍ତି । ଏହାଦ୍ୱାରା ଯେଉଁମାନେ ନିଜ ତରଫରୁ ପରୀକ୍ଷା କରିବା ପାଇଁ ଚାହିଁବେ ସେମାନେ କମ୍ ଦାମରେ ପରୀକ୍ଷା କରିପାରବେ ।