୧୯୮୪ ଦଙ୍ଗା : ଜଗଦୀଶ ଟାଇଟଲରଙ୍କ ବିରୋଧରେ ସିବିଆଇର ଚାର୍ଜସିଟ ଉପରେ କୋର୍ଟଙ୍କ ତର୍ଜମା, ଅଗଷ୍ଟ ୫ ତାରିଖରେ ହଜାର ହେବାକୁ ନୋଟିସ

115

କନକ ବ୍ୟୁରୋ : ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ପାଇଁ ବଢିଲା ଅଡୁଆ । ଏହି ଦଙ୍ଗା କ୍ରମରେ ଦିଲ୍ଲୀର ପୁଲ ବଂଗଶ ଅଞ୍ଚଳରେ ହୋଇଥିବା ହତ୍ୟା ମାମଲାରେ ସିବିଆଇ ଦ୍ୱାରା କୋର୍ଟରେ ଦାଖଲ କରାଯାଇଥିବା ଚାର୍ଜସିଟ ଉପରେ ତର୍ଜମା କରି ଦିଲ୍ଲୀର ରାୱଜ ଏଭିନ୍ୟୁ କୋର୍ଟ ଜଗଦୀଶ ଟାଇଟଲରଙ୍କୁ ଅଗଷ୍ଟ ୫ ତାରିଖରେ ହଜାର ହେବାକୁ ନୋଟିସ କରିଛି । ସିବିଆଇ ତରଫରୁ ଦାଖଲ କରାଯାଇଥିବା ଚାର୍ଜସିଟରେ କିଛି ଭିଡିଓ ଓ ଭଏସ ସାମ୍ପୁଲ ଦାଖଲ କରିଛି ।

ସିବିଆଇ ତରଫରୁ ଏହି ଦଙ୍ଗା ମାମଲାର ଯାଂଚ କରି ୨୦୨୩ ମେ ୨୦ ତାରିଖରେ ଚାର୍ଜସିଟ୍ ଦାଖଲ କରିଥିଲା । ଅତିରିକ୍ତ ମେଟ୍ରୋପଲିଟନ ମାଜିଷ୍ଟ୍ରେଟ୍ ଜଷ୍ଟିସ ବିଧି ଗୁପ୍ତା ଆନନ୍ଦ ଏହି ମାମଲାରେ ଚାର୍ଜସିଟକୁ ତର୍ଜମା କରିବା ପରେ ଏଭଳି ଆଦେଶ ପାରିତ କରିଛନ୍ତି ।

ସୂଚନା ଥାଉକି ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର ଗୋଟିଏ ଦିନ ପରେ ୧୯୮୪ ମସିହା ନଭେମ୍ବର ୧ ତାରିଖରେ ଦିଲ୍ଲୀର ପୁଲ ବଙ୍ଗସ୍ ଅଞ୍ଚଳରେ ୩ଜଣଙ୍କୁ ହତ୍ୟା କରାଯାଇଥିଲା । ଏହାସହ ଏକ ଗୁରୁଦ୍ୱାରରେ ନିଆଁ ଲଗାଇ ଦିଆଯାଇଥିଲା । ଏହି ମାମଲାରେ ସିବିଆଇ କହିଛି କି ଜଗଦୀଶ ଟାଇଟଲର ୧୯୮୪ ନଭେମ୍ବର ୧ ତାରିଖରେ ପୁଲ ବଙ୍ଗସ ଗୁରୁଦ୍ୱାର ନିକଟରେ ଥିବା ଆଜାଦ ବଜାରରେ ଲୋକଙ୍କ ଏକାଠି କରି ହିଂସା କରିବାକୁ ଉସକାଇଥିଲେ । ଯାହାର ପରିଣାମ ସ୍ୱରୂପ ଲୋକମାନେ ଗୁରୁଦ୍ୱାରରେ ନିଆଁ ଲଗାଇଦେବା ସହ ତିନିଜଣ ଶିଖ ସଂପ୍ରଦାୟର ଲୋକଙ୍କୁ ହତ୍ୟା କରିଥିଲେ ।