ପୁଣି ଶକ୍ତି ପ୍ରଦର୍ଶନ କଲା ଭାରତ: ଶତ୍ରୁପକ୍ଷର ଯୁଦ୍ଧ ଜାହାଜକୁ ଧ୍ୱଂସ କରିପାରୁଥିବା କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ; ସଠିକ୍ ଲକ୍ଷ୍ୟଭେଦ କରି ଯୁଦ୍ଧଜାହାଜକୁ ବୁଡ଼ାଇଦେଲା କ୍ଷେପଣାସ୍ତ୍ର

190

କନକ ବ୍ୟୁରୋ: ପୁଣି ଶକ୍ତି ପ୍ରଦର୍ଶନ କଲା ଭାରତ  । ଶତ୍ରୁପକ୍ଷର ଯୁଦ୍ଧ ଜାହାଜକୁ ଧ୍ୱଂସ କରିପାରୁଥିବା କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଆମ ନୌସେନା  । ଆଇଏନଏସ ପ୍ରବଳରୁ ଏହି କ୍ଷେପଣାସ୍ତ୍ରକୁ ପରୀକ୍ଷଣ କରାଯାଇଥିଲା, ଆଉ ଏହା ସଠିକ ଭାବେ ନିଜ ଲକ୍ଷ୍ୟଭେଦ କରିଥିଲା  । ଆରବ ସାଗରରେ ଏହି ପରୀକ୍ଷଣ କରାଯାଇଥିଲା  । ନୌସେନା ପକ୍ଷରୁ ଏହାର ଭିଡିଓ ଜାରି କରାଯାଇଛି  । ଚୀନ୍ ସହ ଲଦାଖରେ ଉତ୍ତେଜନା ଜାରି ରହିଥିବା ବେଳେ ଦେଶର ତିନି ସେନା ସତର୍କ ଓ ସଜାଗ ରହିଛନ୍ତି  ।

ଚୀନର କୌଣସି ପ୍ରକାର ଚାଲକୁ ଜବାବ ଦେବାକୁ ତିନି ସେନା ପ୍ରସ୍ତୁତ ରହିଛନ୍ତି  । ଏସବୁ ଭିତରେ ଭାରତ ପକ୍ଷରୁ ଗୋଟିଏ ପରେ ଗୋଟିଏ ମିଶାଇଲ ପରୀକ୍ଷଣ କରାଯାଉଛି  । ଡିଆରଡିଓ ଗତ ଦେଢ଼ମାସ ମଧ୍ୟରେ ୧୨ଟି କ୍ଷେପଣାସ୍ତ୍ର ପରୀକ୍ଷଣ କରିସାରିଲାଣି  । ନିର୍ଭୟ, ସ୍ମାର୍ଟ, ରୁଦ୍ରମ, ନାଗ, ପୃଥ୍ୱୀ ପରି କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ କାଯାଇସାରିଛି  । ଏହିସବୁ ପରୀକ୍ଷଣ ଆମ ତିନି ସେନାକୁ ଆହୁରି ଶକ୍ତିଶାଳି କରିବା ସହ ଚୀନକୁ ଉପଯୁକ୍ତ ସନ୍ଦେଶ ଦେଉଥିବା ସାମରିକ ବିଶେଷଜ୍ଞଙ୍କ ମତ  ।