କର୍ଣ୍ଣାଟକରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହରେ ଏକାଠି ହେବେ ମୋଦୀ ବିରୋଧୀ: ସାମିଲ ହେବେ ନାହିଁ ମମତା ବାନାର୍ଜୀ

513

କନକ ବ୍ୟୁରୋ: କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା । ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ । ଶନିବାର ବେଙ୍ଗାଲୁରୁର କାନ୍ତିବୀରା ଷ୍ଟାଡିୟମରେ ଶପଥଗ୍ରହଣ ସମାରୋହ ଆୟୋଜିତ ହେବ । ଏଥିରେ ମୋଦି ବିରୋଧୀ ଏକାଠି ହୋଇପାରନ୍ତି ବୋଲି ଆକଳନ କରାଯାଉଛି । ହିମାଚଳପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ଛତିଶଗଡ, ବିହାର, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ସାମିଲ ହେବେ । ଏହାବ୍ୟତିତ ଆରଜେଡିର ତେଜ୍ୱଶୀ ଯାଦବ, ଏନସିପି ସୁପ୍ରିମୋ ଶରଦ ପାୱାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥିରେ ସୋନିଆ , ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଯୋଗଦେବାକୁ ନିମନ୍ତ୍ରଣ କରିଛି କର୍ଣ୍ଣାଟକ କଂଗ୍ରେସ ।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା । ତାଙ୍କ ଡେପୁଟୀ ବା ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହେବେ ଡି.କେ ଶିବକୁମାରଙ୍କୁ ଶପଥ ଓ ଗୋପନୀୟତାର ପାଠ କରାଇବେ ରାଜ୍ୟପାଳ । ବେଙ୍ଗାଲୁରୁର କାନ୍ତିରବା ଷ୍ଟାଡିୟମରେ ହେବାକୁ ଥିବା ଭବ୍ୟ ସମାରୋହ ପାଇଁ ପ୍ରସ୍ତୁତି ଜୋରଦାର । ଖୋଦ୍ ଡି.କେ ଶିବକୁମାର ଏହାର ସମୀକ୍ଷା କରିଛନ୍ତି । ସମୀକ୍ଷା କରିବା ପରେ ଶିବକୁମାର ଦିଲ୍ଲୀ ଯାଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀଙ୍କୁ ନିମନ୍ତ୍ରଣ କରିଛନ୍ତି । ଏହାସହ ଶପଥ ସମାରୋହରେ ସାମିଲ ହେବା ପାଇଁ ଦଳୀୟ କର୍ମକର୍ତା ଓ ସମର୍ଥକଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି ।

ଶପଥ ସମାରୋହ ପାଇଁ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଛି ଅଣବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବଡ଼ ବଡ଼ ନେତାଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ଏନସିପି ମୁଖ୍ୟ ଶରଦ ପାୱାର, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କୁ ଆମନ୍ତ୍ରଣ କରିଛନ୍ତି । ଏହାବ୍ୟତୀତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ, ହେମନ୍ତ ସୋରେନଙ୍କୁ ମଧ୍ୟ ଶପଥ ସମାରୋହ ପାଇଁ ଡାକରା ମିଳିଛି । ସେହିପରି ସିପିଆଇ ମହାସଚିବ ଡି. ରାଜା, ସିପିଆଇ-ଏମ୍ ମହାସଚିବ ସୀତାରାମ ୟେଚୁରୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ତେବେ ଶପଥ ସମାରୋହ ପାଇଁ କଂଗ୍ରେସ, ଆମ ଆଦମୀ ପାର୍ଟି, ବିଏସପି ଓ ବିଆରଏ ସମେତ କିଛି ଦଳକୁ ନିମନ୍ତ୍ରଣ କରିନାହିଁ । ଅର୍ଥାତ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ, କେସିଆର, କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ସାମିଲ ହେବେ ନାହିଁ । କେବଳ ଏତିକି ନୁହେଁ, ବିଏସପି ମୁଖ୍ୟ ମାୟାବତୀଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିନାହିଁ । ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନ୍ୟ କାରଣରୁ ଶପଥ ସମାରୋହରେ ସାମିଲ ହେବେ ନାହିଁ ବୋଲି ଜଣାପଡ଼ିଛି । ସେପଟେ ବିରୋଧୀଙ୍କୁ ଏକାଠିକୁ ନେଇ କଟାକ୍ଷ କରିଛି ବିଜେପି ।

ହାଇକମାଣ୍ଡଙ୍କ ନିଷ୍ପତି ପରେ କର୍ଣ୍ଣାଟକ କଂଗ୍ରେସ୍ ଇନଚାର୍ଜ ରଣଦୀପ ସୂର୍ଜେୱାଲା ଓ ଏଆଇସିିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ସିଦ୍ଧରମେୟାଙ୍କୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏବଂ ଡି କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେବା ନେଇ ବିଦ୍ଧିବଦ୍ଧ ଘୋଷଣା କରିଥିଲେ । ତେବେ କର୍ଣ୍ଣାଟକ ମନ୍ତ୍ରିମଣ୍ଡଳରେ କେଉଁମାନଙ୍କୁ ସ୍ଥାନ ମିଳୁଛି, ତାକୁ ନେଇ ଚର୍ଚ୍ଚା ଜାରି ରହିଛି ।