ମୋଦୀ ବିରୋଧୀ ମୋର୍ଚ୍ଚା। ନୀତିଶ-ମମତାଙ୍କ ଚର୍ଚ୍ଚା।

142

କନକ ବ୍ୟୁରୋ: ସୋମବାର କୋଲକାତାରେ ପହଞ୍ଚିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ସହ ସାକ୍ଷାତ କରିଛନ୍ତି ନୀତିଶ ଓ ତେଜସ୍ୱୀ ପୂର୍ବରୁ ଟିଏମସି, କଂଗ୍ରେସ ଓ ଅନ୍ୟ କିଛି ଆଞ୍ଚଳିକ ଦଳ ବିଜେପି ବିରୋଧୀ ଦଳ ବୈଠକ କରିସାରିଛନ୍ତି ଆଉ ଏବେ ଏହାର ମଙ୍ଗ ଧରି ମମତାଙ୍କ ନିକଟରେ ପହଞ୍ଚିଛନ୍ତି ନୀତିଶ ଓ ତେଜସ୍ୱୀ । ଏହି ଭେଟଘାଟର ମୂଳ ଉଦ୍ଦେଶ୍ୟ କଣ ରହିଥିଲା ଏହି ବାବଦରେ ପ୍ରତିକ୍ରିୟା ରଖିଛନ୍ତି ନୀତିଶ ଓ ମମତା ।

ସାକ୍ଷାତ କାର୍ଯ୍ୟକ୍ରମ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିକଟରେ ଅପିଲ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଯଥାଶୀଘ୍ର ବିହାରରେ ସର୍ବଦଳୀୟ ବୈଠକ କରିବାକୁ ନୀତିଶଙ୍କୁ ସେ ଅପିଲ କରିଛନ୍ତି । ସେପଟେ ଟିଏମସି ଓ ଜେଡିୟୁ ମୁଖ୍ୟଙ୍କ ସାକ୍ଷାତକୁ ନେଇ ପ୍ରତିକ୍ରିୟା ଦେଇଛି ବିଜେପି । ବିହାରରେ ଯେଉଁ ସ୍ଥିତି ବର୍ତମାନ ରହିଛି ନୀତିଶ କୁମାରଙ୍କ ତା ଉପରେ ଧ୍ୟାନ ଦେବା ଦରକାର । ନିଜ ରାଜ୍ୟକୁ ସମ୍ଭାଳି ପାରୁନଥିବା ନୀତିଶଙ୍କ ବିଜେପି ବିରୋଧୀ ମୋର୍ଚ୍ଚା କିଭଳି ସମ୍ଭାଳିବେ ବୋଲି ପ୍ରଶ୍ନ କରିଛି ଦଳ ।

ବିଜେପିକୁ ହିରୋରୁ ଜିରୋ ବନାଇବା ପାଇଁ ଏବେ ଜୋରଦାର ପ୍ରୟାସ କରୁଛନ୍ତି ବିରୋଧୀ । ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ଏହା ପୂର୍ବରୁ କିଭଳି, କେମିତି ବିରୋଧୀଙ୍କୁ ଏକାଠି କରାଯିବ? ମଜବୁତ କରାଯିବ? ବିଜେପି ବିରୋଧୀ ମିଶନକୁ ସଫଳ କରାଯିବ ଏହା ଏହା ଉପରେ ରଣନୀତି ପ୍ରସ୍ତୁତ କରାଯାଉଛି । ୨୦୨୪ ନିର୍ବାଚନ ପୂର୍ବରୁ ମମତା-ନୀତିଶଙ୍କ ସାକ୍ଷାତ ବେଶ ଗୁରୁତ୍ୱବହନ କରୁଛି । କିନ୍ତୁ ମୋଦୀଙ୍କୁ ବିରୋଧ କରୁଥିବା ସମସ୍ତ ରାଜନୈତିକ ଦଳ ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବେ କି ନାହିଁ ତା ଉପରେ ଏବେବି ପ୍ରଶ୍ନ ରହିଛି ।