କନକ ବ୍ୟୁରୋ: କାନାଡ଼ାରେ ଭାରତ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଭାରତୀୟ ଦୂତାବାସରେ ନିଅାଁ ଲଗାଇବା ସହ ରାଲି କରୁଛନ୍ତି, ଭାରତ ବିରୋଧରେ ସ୍ଲୋଗାନ ଦେଉଛନ୍ତି ଖଲିସ୍ତାନୀ ସମର୍ଥକ । ସେପଟେ ଘଟଣାକୁ ନେଇ କାନାଡ଼ାକୁ ଚେତାବନୀ ଦେଇଛନ୍ତି ଭାରତୀୟ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର । ଯଦି ସ୍ଥିତି ନସମ୍ଭାଳେ ତେବେ କାନାଡ଼ା ସହ ଭାରତର ସମ୍ପର୍କ ବିଗିଡିବା ସମ୍ଭାବନା ଥିବା କହିଛି ଭାରତ ।

Advertisment

କାନାଡ଼ାରେ ଭାରତ ବିରୋଧରେ ଷଡଯନ୍ତ୍ର ଦିନକୁ ଦିନ ଉଗ୍ର ରୂପ ନେଉଛି । ପ୍ରତ୍ୟେକ ଦିନ ରାଲି କରି ଉତ୍ପାତ କରୁଛନ୍ତି ଖଲିସ୍ତାନୀ ସମର୍ଥକ । କେଉଁଠି ଭାରତ ବିରୋଧରେ ସ୍ଲୋଗାନ ଶୁଭାଯାଉଛି ତ ପୁଣି କେଉଁଠି ଭାରତୀୟ ଦୂତାବାସରେ ନିଅାଁ ଲଗାଉଛନ୍ତି ଖଲିସ୍ତାନୀ ସମର୍ଥକ । କିଭଳି ଭାରତ ବିରୋଧରେ କାନାଡ଼ାରେ ଉଗ୍ର ହେଉଛି ଖଲିସ୍ତାନୀ ଆନ୍ଦୋଳନ । ଘଟଣାକୁ ଗମ୍ଭୀରତା ସହ ଗ୍ରହଣ କରିଛନ୍ତି ଭାରତ ସରକାର । ଯଦି ଖଲିସ୍ତାନୀଙ୍କ ବିରୋଧରେ କଡା କାଯ୍ୟାନୁଷ୍ଠାନ ନନିଅନ୍ତି କାନାଡ଼ା ସରକାର ତେବେ ୨ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଖରାପ ହେବ ବୋଲି ଚେତାଇଦେଇଛନ୍ତି ଭାରତୀୟ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର ।

ସେପଟେ ଜୁଲାଇ ୮ ତାରିଖରେ ଖଲିସ୍ଥାନୀ ସମର୍ଥକ ଟୋରୋଂଟୋରେ ରାଲିର ଆୟୋଜନ କରିବେ ବୋଲି ଘୋଷଣା କରିଛନ୍ତି । ଭାରତ ବିରୋଧରେ ଖଲିସ୍ତାନୀ ସମର୍ଥକ ବିଷ ଉଗାଳୁଛନ୍ତି । ସେନେଇ ବାରମ୍ବାର କାନାଡ଼ା ସରକାରଙ୍କୁ ତଲବ କରୁଛନ୍ତି ଭାରତ ସରକାର । ତଥାପିି ଖଲିସ୍ତାନୀ ବିରୋଧରେ କାନାଡ଼ା ସରକାର କୌଣସି କଡ଼ା ଆଭିମୁଖ୍ୟ ଗ୍ରହଣ ନକରିବା ପ୍ରଶ୍ନ ଉଠାଉଛି ।

କାନାଡ଼ା, ଆମେରିକା, ୟୁକେ ପରେ ଅଷ୍ଟ୍ରେଲିଆରେ ମଧ୍ୟ ବିଷ ଉଗାଲିଲେଣି ଖଳିସ୍ତାନୀ ସମର୍ଥକ । ଅଷ୍ଟ୍ରେଲିଆ ସ୍ଥିତ ହାଇକମିଶନର ଓ କାଉଁସଲର ଜେନେରାଲରେ ଭାରତ ବିରୋଧୀ ପୋଷ୍ଟର ଲଗାଇଛ୍ତି ଖଲିସ୍ତାନୀ ସମର୍ଥକ । କେବଳ ସେତିକି ନୁହେଁ ଏଠାରେ ଥିବା ମନ୍ଦିର ଗୁଡିକୁ ମଧ୍ୟ ଆକ୍ରମଣ କରୁଛନ୍ତି ଖଲିସ୍ତାନୀ । ଆମେରିକା ସହ ଅନ୍ୟ କିଛି ଦେଶ ଘଟଣାକୁ ନିନ୍ଦା କରିବା ସହ କାନାଡ଼ାକୁ ସତର୍କ କରାଇଛନ୍ତି ।