କନକ ବ୍ୟୁରୋ : ଭାରତୀୟ ନୋଟକୁ ନେଇ ଏବେ ରାଜନୀତି ସରଗରମ ରହିଛି । ନୋଟ୍ ଉପରେ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ରଖିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରସ୍ତାବ ପରେ ଏବେ ରାଜନୈତିକ ଦଳ ପ୍ରତିକ୍ରିୟା ଦେଇଛନ୍ତି । ରାଜନୈତିକ ଦଳ ଏବେ ବାବା ସାହେବ ଆମ୍ବେଦକର ଏବଂ ଛତ୍ରପତିଙ୍କ ଫଟୋ ଲଗାଇବାକୁ ଦାବି କରିଛନ୍ତି । ବିଜେପି ନେତା ନୀତେଶ ରାଣେ ନିଜ ଟ୍ୱିଟରରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ୨ଶହ ଟଙ୍କିଆ ନୋଟ ଉପରେ ଛତ୍ରପତି ଶିବାଜୀଙ୍କ ଫଟୋ ରହିଛି । ତେବେ ନୀତେଶ ରାଣେଙ୍କ ପରେ ଏହି ନୋଟ ରାଜନୀତିରେ କଂଗ୍ରେସ ମଧ୍ୟ ପଛ ଘୁଂଚା ଦେଇ ନାହିଁ । କଂଗ୍ରେସ ନେତା ମନୀଷ ତିୱାରୀ କହିଛନ୍ତି ଭାରତୀୟ ନୋଟ ଉପରେ ମହାତ୍ମା ଗାନ୍ଧୀଙ୍କ ସହ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଲଗାଇବା ଉଚିତ । ଏମାନେ ଅହିଂସା ଓ ଲୋକତନ୍ତ୍ରର ସ୍ୱତନ୍ତ୍ର ପ୍ରତୀକ ବୋଲି ମନୀଷ ତିୱାରୀ କହିଛନ୍ତି ।
ନୋଟ ଉପରେ ଭଗବାନ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ଲଗାଇବା ଦାବି ପରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, କେଜ୍ରିୱାଲଙ୍କ ଉପରେ ବର୍ଷିଛନ୍ତି । ସମ୍ବିତ ପାତ୍ରଙ୍କ ବ୍ୟତୀତ ବିଜେପି ସାଂସଦ ମନୋଜ ତିୱାରୀ ଏବଂ କଂଗ୍ରେସ ନେତା ସନ୍ଦୀପ ଦିକ୍ଷୀତ କେଜ୍ରିୱାଲଙ୍କକୁ ଟାର୍ଗେଟ କରିଛନ୍ତି । ଅନ୍ୟପକ୍ଷରେ ସିପିଆଇଏମ ନେତା ବ୍ରିନ୍ଦା କରାଟେ ଏହା ଉପରେ ମୁହଁ ଖୋଲିଛନ୍ତି । ନୋଟ ରାଜନୀତିକୁ ନେଇ ବ୍ରିନ୍ଦା କହିଛନ୍ତି, ଏମାନେ ସବୁ ଧର୍ମର ମଜାକ ଉଡ଼ାଉଛନ୍ତି । ଧର୍ମକୁ ଅସ୍ତ୍ର କରି ରାଜନୀତି ଆରମ୍ଭ କରିଛନ୍ତି । କେଜ୍ରିୱାଲ ପୂର୍ବରୁ ଶିକ୍ଷା, ସ୍ୱାସ୍ଥ୍ୟର ଉନ୍ନତି ଉପରେ ଗୁରୁତ୍ୱ ଦେବା କଥା କହୁଥିବାବେଳେ ଏବେ ହିନ୍ଦୁ ଦେବାଦେବୀଙ୍କୁ ନେଇ ରାଜନୀତି କରୁଛନ୍ତି । ବିଜେପି ମଧ୍ୟ ଧର୍ମକୁ ଅସ୍ତ୍ର କରି ଯେଉଁ ରାଜନୀତି କରୁଛି, ତାହା ସମସ୍ତେ ବୁଝିପାରୁଛନ୍ତି ।
ଭାରତୀୟ ନୋଟକୁ ନେଇ ଚାଲିଥିବା ରାଜନୀତି ଧିରେ ଧିରେ ତୀବ୍ର ହେଉଛି । ଆଗକୁ ଗୁଜରାଟରେ ବିଧାନସଭା ନିର୍ବାଚନ ଥିବାରୁ କେଜ୍ରିୱାଲ ଏପରି ଗୋଟିଚାଳନା କରୁଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି । ତା’ଛଡ଼ା ଏହି ନୋଟ୍ ରାଜନୀତି ଆଗକୁ କେଉଁ ମୋଡ଼ ନେଉଛି, ତାହା ଦେଖିବାକୁ ବାକି ରହିଲା ।