ସମ୍ବଲପୁରୀ ଗୀତ ଗାଇଲେ ଦୁଇ ଆସାମୀ ଭଉଣୀ । ଅନ୍ତରା ନନ୍ଦି ଓ ଅଙ୍କିତା ନନ୍ଦିଙ୍କ ଡାଲଖାଇ ଓ ରଙ୍ଗବତୀ ଗାଇ ଚର୍ଚ୍ଚାରେ ।

414

କନକ ବ୍ୟୁରୋ: ଆସାମୀ ଝିଅ ଗାଉଛନ୍ତି ସମ୍ବଲପୁରୀ ଗୀତ । ଆଉ ଯାହାର ତାଲେ ତାଲେ ଝୁମୁଛନ୍ତି ଦର୍ଶକ । ସମ୍ବଲପୁରୀ ଶାଢୀ ସାଙ୍ଗକୁ ଡାଲଖାଇ ଓ ରଙ୍ଗବତୀ ଗୀତ ଗାଇ ଏବେ ଚର୍ଚ୍ଚାରେ ଦୁଇ ଭଉଣୀ ଅନ୍ତରା ଏବଂ ଅଙ୍କିତା ।

ଅନ୍ତରା ନନ୍ଦି ଓ ଅଙ୍କିତା ନନ୍ଦି । ଓଡିଆ ଲୋକଙ୍କ ପାଇଁ ଏ ନାଁ ବୋଧ ହୁଏ ଅଜଣା । ହେଲେ ଏହି ଦୁଇ ଭଉଣୀଙ୍କ ସମ୍ବଲପୁରୀ ଗୀତ ଏବେ ଚାରିଆଡେ ଚର୍ଚ୍ଚାରେ । ସୋସିଆଲ୍ ମିଡିଆଠୁ ଆରମ୍ଭ କରି ୟ୍ୟୁଟୁବ୍, ଇନଷ୍ଟାଗ୍ରାମ ସବୁଠି ଏବେ ଏହି ଦୁଇ ଭଉଣୀଙ୍କ ଗୀତ ଦେଖିବାକୁ ମିଳୁଛି । ଅନେକ ଲୋକ ଏହାକୁ ସେଆର୍ କରି ପ୍ରଂଶସା ମଧ୍ୟ କରିଛନ୍ତି । ଓଡିଆ ଠିକ୍ ଭାବେ ଜାଣିନଥିଲେ ବି ଅଙ୍କିତା ଓ ଅନ୍ତରାଙ୍କ ଏହି ଗୀତ ଏବେ ଶ୍ରୋତାମାନଙ୍କ ମନ ଜିଣିବାରେ ଲାଗିଛି ।

ଅନ୍ତରା ନନ୍ଦି ଏହି ଗୀତକୁ ନିଜର ସୋସିଆଲ୍ ମିଡିଆ ଆକାଉଂଟରେ ସେଆର୍ କରି ଲେଖିଛନ୍ତି, ଓଡିଆ ଗୀତ ଗାଇବାକୁ ତାଙ୍କୁ ଅନେକ ଲୋକ ଅନୁରୋଧ କରିି ଆସୁଥିଲେ । ତେଣୁ ଏବେ ସେ ଏହି ଦୁଇ ସମ୍ବଲପୁରୀ ଗୀତକୁ ବାଛିଛନ୍ତି । ଏଥିପାଇଁ ଶିବାନୀ ପଣ୍ଡା ଓ ଝାରସୁଗୁଡାରେ ରହୁଥିବା ତାଙ୍କ ଗୁରୁଜୀ ଦିନେଶ ପଲାଇଙ୍କୁ ଧନ୍ୟବାଦ ଦେଇଛନ୍ତିା

ତେବେ ଆପଣ ଭାବୁଥିବେ ଏହି ଦୁଇ ଭଉଣୀ କିଏ । ଆଉ ଏମାନେ ଏହି ସମ୍ବଲପୁରୀ ଗୀତ ଗାଇଲେ କାହିଁକି । ଅସଲ କଥା ହେଲା ଅନ୍ତରା ନନ୍ଦି ହେଉଛନ୍ତି ଜଣେ ଜଣାଶୁଣା କଣ୍ଠଶିଳ୍ପୀ । ସେ ୨୦୦୯ ମସିହାରେ ସିଙ୍ଗିଙ୍ଗ୍ ରିୟାଲିଟି ସୋ ‘ସା ରେ ଗା ମା ଲିଟିଲ୍ ଚାମ୍ପସରେ’ ଫାଇନାଲିଷ୍ଟ ବି ରହିସାରିଛନ୍ତି ।

ଲକଡାଉନ୍ ସମୟରେ ଅନ୍ତରା ନନ୍ଦି ତାଙ୍କ ଭଉଣୀ ଅଙ୍କିତା ନନ୍ଦିଙ୍କ ସହ ମିଶି ବିଭିନ୍ନ ଭାଷାରେ ଗୀତ ଗାଇବା ଆରମ୍ଭ କରିଥିଲେ । ଆଉ ଏହି ଗୀତକୁ ସେ ନିଜ ଘରେ ଗାଇ ଏହାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ଲୋକମାନଙ୍କର ଏଥିପ୍ରତି ଆଗ୍ରହ ଦେଖି ଦୁଇ ଭଉଣୀ ମରାଠୀ , ବେଙ୍ଗଲୀ, ଗୁଜରାଟୀ, କନ୍ନଡ ଭାଷାରେ ମଧ୍ୟ ଗୀତ ଗାଇଥିଲେ । ହେଲେ ଏବେ ସମ୍ବଲପୁରୀ ଡାଲଖାଇ ଓ ରଙ୍ଗବତୀ ତାଙ୍କୁ ଚର୍ଚ୍ଚାକୁ ନେଇଆସିଛି ।