କମୁଛି ଅଂଶୁପା ହ୍ରଦ! ଦିନେ ଯେଉଁ ହ୍ରଦରେ କାତ ପାଉନଥିଲା ଏବେ ସେଠାରେ ନୌକା ମଧ୍ୟ ଚାଲିବା କଷ୍ଟକର

102

କନକ ବ୍ୟୁରୋ : ମହାନଦୀ କୂଳରେ ରହିଛି ରାଜ୍ୟର ବୃହତମ ମଧୁର ହ୍ରଦ ଅଂଶୁପା । ପ୍ରାକୃତିକ ସବୁଜିମାରେ ପରିପୂର୍ଣ୍ଣ ଅଂଶୁପାରେ ରହିଛି ପାହାଡ, ପାଣି, ପକ୍ଷୀ ଏବଂ ଫୁଲର ଅପୂର୍ବ ମିଳନ । ଯେଉଁ ହ୍ରଦକୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସିଥାନ୍ତି । ହେଲେ ଦିନକୁ ଦିନ ଏହାର ପରିସୀମା କମିଯିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

ଓଡିଶାରେ ବିକାଶ ପାଇଁ ପ୍ରକୃତି ବହୁତ କିଛି ଦେଇଛି । ଏମିତି ଏକ ପ୍ରାକୃତିକ ପର୍ଯ୍ୟଟନସ୍ଥଳି ହେଉଛି କଟକ ଜିଲ୍ଲା ବାଙ୍କୀରେ ଥିବା ରାଜ୍ୟର ବୃହତମ ମଧୁର ହ୍ରଦ ଅଂଶୁପା । ହେଲେ ସରକାରୀ ଉଦାସୀନତା ଯୋଗୁଁ ଅଂଶୁପାର ବିକାଶ ଅଟକି ଯାଇଥିବା ଅଭିଯୋଗ ହୋଇଛି । ଯେଉଁ ହ୍ରଦରେ ଦିନେ କାତ ପାଉନଥିଲା ତାହା ଏବେ ଦଳ ଓ ଜଳଜ ଗୁଳ୍ମରେ ଭର୍ତି । ସ୍ଥିତି ଏଭଳି ହୋଇଛି ଯେ, ଏଠାରେ ନୌକା ବିହାର କଣ ଦୁଇ ହାତ ଚାଲିବା ବି କଷ୍ଟକର ହୋଇପଡୁଛି ।

ଯତ୍ନ ଅଭାବରୁ ଅଂଶୁପାର ଆକାର ୭୪୮ ଏକରରୁ ପୋତି ହୋଇ ୩୪୨ ଏକରରେ ସୀମିତ ହୋଇଗଲାଣି । ୨୦୦୮ରେ ଅଂଶୁପାର ବିକାଶ ପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା ଦେଇଥିଲେ ରାଜ୍ୟ ସରକାର । ରୋପୱେ, ନୌକା ବିହାର, ହସ୍ତଶିଳ୍ପ ବଜାର ନିର୍ମାଣ ଏବଂ ହରିଣ ପାର୍କର ଉନ୍ନତିକରଣ ପାଇଁ ଯୋଜନା ହୋଇଥିଲା । ହେଲେ ଆଜି ଅଂଶୁପା ବୁଲି ଦେଖିଲେ ସେଭଳି କିଛି ଯୋଜନା କାର୍ଯ୍ୟକାରୀ ହୋଇଥିବା ମନେ ହେଉନାହିଁ ।

ସେହିଭଳି ୨୦୧୪ ମସିବାରେ ଅଂଶୁପାର ବିକାଶ ପାଇଁ ଖର୍ଚ ୮ କୋଟିରୁ ଅଧିକ ଟଙ୍କା ଖର୍ଚ ହୋଇଛି । ହ୍ରଦ ପାଖରେ କ୍ୟାଫେଟେରିଆ, ଯାତ୍ରୀ ବିଶ୍ରାମଗାର ଓ ସାରଙ୍ଗଗଡରେ ପାନ୍ଥ ନିବାସ ପାଇଁ ଏହି ଅର୍ଥ ବିନିଯୋଗ କରାଯାଇଛି । ହେଲେ ଏବେ ସୁଦ୍ଧା କ୍ୟାଫେଟେରିଆ, ଯାତ୍ରୀ ବିଶ୍ରାମଗାର ନିର୍ମାଣ ଶେଷ ହୋଇନଥିବା ବେଳେ ପାନ୍ଥ ନିବାସର ଆନୁସଙ୍ଗିକ ସୁବିଧା ନଧିବାରୁ ସମସ୍ୟା ଭୋଗ କରୁଛନ୍ତି ପର୍ଯ୍ୟଟକ ।