ସୋସିଆଲ୍ ମିଡିଆରେ ସହିଦ୍ ଯବାନଙ୍କ ବଳିଦାନଭରା ପୋଷ୍ଟ୍ କୁ ହସ ଇମୋଜି ଏବଂ ଅରୁଚିକର ମନ୍ତବ୍ୟ ଦେଇ ହାସ୍ୟାସ୍ପଦ କରାଉଥିବା ଲୋକଙ୍କ ପାଇଁ କାଳ ସାଜିଲେ ଏହି ଡିଜିଟାଲ୍ ଯବାନ୍! 

769

ଫେବୃଆରୀ ୧୪ ତାରିଖ ୨୦୧୯ ର କଳା ଦିବସ ଇତିହାସର ପୃଷ୍ଠାରେ ଚିର ସ୍ମରଣୀୟ ହୋଇ ରହିବ । ଭାରତ ମାଟି ତା ବୀର ସନ୍ତାନମାନଙ୍କୁ ସବୁଦିନ ପାଇଁ ହରାଇ ଦେଇଛି । ଲୋକଙ୍କ ମନରେ କ୍ରୋଧ ଏବଂ ଲୁହ ଲହୁ ଭଳି ଝରିଆସୁଛି । କିଏ କେଉଁ ଉପାୟରେ ନିଜ ଦୁଃଖକୁ ଜାହିର କରୁଛନ୍ତି । କେହି କେହି ହାତରେ କ୍ୟାଣ୍ଡେଲ୍ ଧରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛନ୍ତି ତ ଆଉ କେହି ସୋସିଆଲ୍ ମିଡିଆରେ ନିଜ ମତ ରଖୁଛନ୍ତି । ସୋସିଆଲ୍ ମିଡିଆରେ ଜନତାଙ୍କ ଆକ୍ରୋଶର ବହ୍ନି ବଢୁଥିବା ଦେଖାଦେଉଛି । ଏମିତିରେ ଭାରତର କିଛି ଲୋକ ହିଁ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ହାସ୍ୟାସ୍ପଦ ଭାବେ ନେଉଛନ୍ତି । ସୋସିଆଲ୍ ମିଡିଆରେ ଯବାନଙ୍କ ବଳିଦାନଭରା ପୋଷ୍ଟ୍ କୁ ହସ ଇମୋଜିର ସାମ୍ନା କରିବାକୁ ପଡୁଛି । କିଛି ଲୋକ ଏହାକୁ କର୍ମର ଫଳ ବୋଲି ଜଣାଇ ହେଉଛନ୍ତି । ତେବେ ଏଭଳି ଲୋକଙ୍କ ପାଇଁ କାଳ ସାଜିଛନ୍ତି ଡିଜିଟାଲ୍ ଯବାନ ଅନ୍ସୁଆଲ୍ ସକ୍ସେନା ।

 

ଆପଣ ଭାବୁଥିବେ ଏହି ବ୍ୟକ୍ତି ଜଣକ କୌଣସି ମିଲିଟାରୀ ଯବାନ ହୋଇଥିବେ । କିନ୍ତୁ ଆପଣଙ୍କ କଳନା ଭୁଲ୍ ଆଜ୍ଞା । କେବଳ ୟୁନିଫର୍ମ ପିନ୍ଧିଲେ ଜଣେ ଦେଶସେବା ପାଇଁ ନିଜକୁ ନିୟୋଜିତ କରିବ ଏହା ଭୁଲ୍ କଥା । ଯାହାକୁ ପ୍ରମାଣିତ କରିଛନ୍ତି ନ୍ୟୁଜ୍ ଜକି ଅନ୍ସୁଆଲ୍ ସକ୍ସେନା । ଆଜିକାଲି ସମୟରେ ସୋସିଆଲ୍ ମିଡିଆ ଟୁଇଟର ଏବଂ ଫେସବୁକରେ ସକ୍ରିୟ ଥିବା ଏହି ବ୍ୟକ୍ତିଜଣଙ୍କୁ ଡିଜିଟାଲ୍ ଯବାନ ନାମରେ ୟୁଜର୍ ଏବେ ଜାଣୁଛନ୍ତି । ଏହି ଯୁବକ ଜଣକ ୧୪ ଫେବୃଆରୀ ରାତି ଠାରୁ ହିଁ ନିଜ ମିଶନ୍ ଆରମ୍ଭ କରିଥିଲେ । ସୋସିଆଲ୍ ମିଡିଆରେ ଅନେକ ଲୋକଙ୍କ ଏଭଳି ହାସ୍ୟାସ୍ପଦ ପୋଷ୍ଟ ଏବଂ ହସ ଇମୋଜିକୁ କ୍ଲିକ୍ କରି ଉକ୍ତ ବ୍ୟକ୍ତିଙ୍କ ଡାଟା ବାହାର କରି ଏହି ଯୁବକ ଜଣକ ତାଙ୍କ କ୍ୟାରିଅରକୁ ଠପ୍ କରି ଦେଇଛନ୍ତି ।

କିଛି କଲେଜ୍ ପଢୁଆ ଛାତ୍ରଛାତ୍ରୀ ଏବଂ କିଛି କର୍ମଚାରୀଙ୍କୁ ଏଭଳି ପୋଷ୍ଟ ଏବଂ ଇମୋଜି ସେଣ୍ଡ କରିବା ଏବେ ମହଙ୍ଗା ପଡିଯାଇଛି । ଗୋଟି ଗୋଟିକରି ସମସ୍ତ ବ୍ୟକ୍ତିସମୂହକୁ ଏହି ଯୁବକ ଜଣକ ହାତରେ ନହେଲେ ମଧ୍ୟ ଭାତରେ ଚାପୁଡା ମାରିଛନ୍ତି । କଲେଜ୍ ପଢୁଆ ପିଲାଙ୍କୁ କଲେଜରୁ ରଷ୍ଟିକେଟ୍ କରାଯାଇଥିବା ବେଳେ କର୍ମଚାରୀଙ୍କୁ ଚାକିରୀରୁ ବାହାରର ରାସ୍ତା ଦେଖିବାକୁ ପଡିଛି । କିଛି ବ୍ୟକ୍ତିଙ୍କୁ ପୋଲିସ୍ ମଧ୍ୟ ଗିରଫ କରିଛି । ଏଥିପାଇଁ ସେ ନିଜ ଫଲୋଅରଙ୍କ ସାହାଯ୍ୟ ମଧ୍ୟ ନେଇଥିଲେ । ହ୍ୱାଟସଆପ୍ ରେ କେହି ଏଭଳି ଅରୁଚିକର ମନ୍ତବ୍ୟ ଦେଲେ ତୁରନ୍ତ ସେୟାର୍ କରିବାକୁ କହିଥିଲେ ଅନ୍ସୁଆଲ୍ । ଏଥିରେ ୟୁଜର୍ସ ବି ତାଙ୍କୁ  ସାହାଯ୍ୟ କରିଥିଲେ ଏବଂ ପ୍ରାୟ ୪୫ ରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ତାଙ୍କର ହସିବା ଇମୋଜି ଏବଂ ସହିଦଙ୍କ ବଳିଦାନ ପ୍ରତି ହାସ୍ୟାସ୍ପଦ କରିବା ଭାରି ପଡିଛି । ଆପଣ ବି ଯଦି ଏଭଳି ସମ୍ବେଦନଶୀଳ ପୋଷ୍ଟ୍ ଉପରେ ହସ ଇମୋଜି କିମ୍ବା ଅରୁଚିକର ମନ୍ତବ୍ୟ ପୋଷ୍ଟ୍ କରୁଛନ୍ତି । ତେବେ ନିଜ ମସ୍ତିଷ୍କ ଏବଂ ଲେଖନୀ ଶୈଳୀକୁ ତୁରନ୍ତ ବଦଳାନ୍ତୁ । ନଚେତ୍ ପରବର୍ତ୍ତୀ ପଦକ୍ଷେପ ଆପଣଙ୍କ ଉପରେ ବି ପଡିପାରେ ।