ରାଜଧାନୀରେ ରକ୍ତ ଚରିତ୍ର ଗ୍ୟାଙ୍ଗର ଆସିଲା ଆଉ ଏକ ଭିଡିଓ । ରାସ୍ତା ଉପରେ ବନ୍ଧୁକ ଫୁଟାଇ ନେଉଛନ୍ତି ମଜା ।

418

କନକ ବ୍ୟୁରୋ : ରାଜଧାନୀ ରାତିରେ ଆତଙ୍କ ଖେଳାଉଥିବା ରକ୍ତଚରିତ୍ର ଗ୍ୟାଙ୍ଗର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଦୀପାବଳିରେ ଯେତେବେଳେ ବାଣ ଫୁଟାଇବା ପାଇଁ କଟକଣା ରହିଛି । କେବଳ ସବୁଜ ବାଣ ଫୁଟାଇବା ପାଇଁ ଅନୁମତି ମିଳିଛି । ଏପରିସ୍ଥଳେ ଏହି ଗ୍ୟାଙ୍ଗର ଯୁବକମାନେ ବନ୍ଧୁକ ଗୁଳି ଫୁଟାଇ ଦୀପାବଳି ମନାଉଥିଲେ ବୋଲି ଅନୁମାନ କରାଯାଉଛି । ତେବେ ଭିଡିଓଟି ଦୀପାବଳି ରାତିରେ ବୋଲି ସ୍ପଷ୍ଟ ହୋଇପାରିନାହିଁ ।

କୁହାଯାଉଛି, ରାତିରେ ଲୋକେ ବାଣ ଫୁଟାଇ ସାରିବା ପରେ ଏହି ଗ୍ୟାଙ୍ଗ ବାହାରକୁ ବାହାରିଥିଲା । ରାତିରେ ରାସ୍ତା ଉପରେ ବନ୍ଧୁକ ଫୁଟାଇ ମଉଜ କରୁଥିଲେ ରକ୍ତଚରିତ୍ର ଗ୍ୟାଙ୍ଗ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ମଧ୍ୟ ଲୋକଙ୍କୁ ଭୟଭୀତ କଲାଭଳି ଭିଡିଓ ସବୁ ସାମ୍ନାକୁ ଆସିଛି । ହାତରେ ମାରଣାସ୍ତ୍ର ଧରି ଏହି ଗ୍ୟାଙ୍ଗର ସଦସ୍ୟମାନେ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛନ୍ତି । କୁହାଯାଉଛି ଏହି ଭଳି ଗୁଣ୍ଡା ଗ୍ୟାଙ୍ଗକୁ ସାବାଡ କରିବା ପାଇଁ ସରକାର ଗୁଣ୍ଡା ଓ ଅସାମାଜିକ ନିରୋଧୀ ଆଇନ ଆଣିବାକୁ ଯାଉଛନ୍ତି । ଅନୁମାନ କରାଯାଉଛି ଏହି ଆଇନରେ ଥିବା କଡା ପ୍ରାବଧାନ ଅପରାଧୀ ଗୋଷ୍ଠୀ ଭିତରେ ଭୟ ସୃଷ୍ଟି କରିବ ।