ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ଆଉ ଏକ ମୋଡ । ପିସି କାରବାର ନେଇ ଚାପ ପଡିଥିବା ଏଫଆଇଆରରେ ଉଲ୍ଲେଖ

365

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାକୁ ପ୍ରାୟ ଏକ ବର୍ଷ ବିତିବାକୁ ବସିଲାଣି । ତେବେ ଦିନ ଗଡିବା ସାଙ୍ଗକୁ ବିବାଦ ମଧ୍ୟ ବଢିବାରରେ ଲାଗିଛି । ଏବେ ଚର୍ଚ୍ଚାରେ, ଜିଲ୍ଲାପାଳଙ୍କ ଦୁର୍ନୀତି ସମ୍ପର୍କରେ ମୃତ ପିଏ ଅବଗତ ଥିଲେ । ଏହାକୁ ପ୍ରଘଟ ନକରିବାର ଚାପ ପିଏ ଦେବନାରାୟଣଙ୍କ ଉପରେ ରହିଥିଲା ବୋଲି କୁହାଯାଉଛି ।

ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁକୁ ନେଇ କରାଯାଇଥିବା ଅଭିଯୋଗ ଫର୍ଦ୍ଦରେ ରହିଛି ଏକ ଚାଂଚଲ୍ୟକର ତଥ୍ୟ । ଅଭିଯୋଗ ଫର୍ଦ୍ଦରେ ଉ୍ଲ୍ଲେଖ ରହିଛି, ଗତ ୨୦୧୮ ଏପ୍ରିଲ ୪ ତାରିଖରେ ପିଏଙ୍କୁ ଜିଲ୍ଲାପାଳ ମନିଷ ଅଗ୍ରୱାଲ ନିଜ ଚ୍ୟାମ୍ବରକୁ ଡାକି ଜିଲ୍ଲାରେ କିଏ କେତେ ପିସି ଦିଅନ୍ତି ସେନେଇ ପଚାରି ବୁଝିଥିଲେ । ଆଉ ଆଗକୁ ଜିଲ୍ଲାପାଳଙ୍କ ବାବଦରେ ପିସି ଆଦାୟର ଦାୟିତ୍ୱ ନେବାକୁ କହିଥିଲେ । କିନ୍ତୁ ଏଥିରେ ଦେବନାରାୟଣ ପଣ୍ଡା ରାଜି ନହେବାରୁ ଏଥିପାଇଁ ଅନ୍ୟ ଜଣଙ୍କୁ ଦାୟିତ୍ୱ ଦିଆଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ପତ୍ନୀ ।

ମାଲକାନଗିରିର ପୂର୍ବତନ ଜିଲ୍ଲାପାଳଙ୍କ ବିରୋଧରେ ହତ୍ୟା ଅଭିଯୋଗ ନେଇ ଏବେ ମାମଲା ରୁଜୁ ହୋଇଛି, ତେବେ ପୁର୍ବରୁ ମନୀଷ ଅଗ୍ରୱାଲଙ୍କ ନାଁ ରେ ବିଭିନ୍ନ ପ୍ରକାର ଭିତିରିଆ ଚର୍ଚା ଲାଗି ରହି ଥିଲା । ଆଉ ବଦଳି ପରେ ସେହି ସବୁ ଚର୍ଚା ପୁଣି ଜୋର ଧରିଛି ।

କେବଳ ପିସି କାରବାର ନୁହଁ, ନିର୍ବାଚନ ସମୟରେ ନିର୍ମାଣ ସାମଗ୍ରୀ ଯୋଗାଣ ପ୍ରକ୍ରୀୟରେ ବ୍ୟାପକ ଅନିୟମିତତା ହୋଇ ଥିବା ନେଇ ଅଭିଯୋଗ କରିଥିଲା କଂଗ୍ରେସ । ନିର୍ମାଣ ସାମଗ୍ରୀ ଯୋଗାଣ ରେ ସୁଶିଲ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀଙ୍କୁ ଜିଲ୍ଲାପାଳ ଅନୁକମ୍ପା ଦେଖାଇଛନ୍ତି ବୋଲି ଦଳ ଅଭିଯୋଗ କରିଥିଲା । ଏପରିକି ନିମ୍ନମାନର ସାମଗ୍ରୀ ଯୋଗାଇ କୋଟି କୋଟି ଟଙ୍କାର ହେରଫେର ହୋଇଥିବା ଅଭିଯୋଗ କରିଥିଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ।

ମନୀଷ ଅଗ୍ରୱାଲଙ୍କ ଦୁର୍ନୀତି ନେଇ ବର୍ଷ ବର୍ଷ ଧରି ଅଭିଯୋଗ କରି ଆସିଛି କଂଗ୍ରେସ ଦଳ । ଆଉ ଦେବନାରାୟଣଙ୍କ ମୃତ୍ୟୁ ପରେ ପୁଣି ସେଇ ଅଭିଯୋଗ ଦୋହରାଇଛି କଂଗ୍ରେସ ଦଳ । ତେବେ କେମିତି ହବ ଏହି ହାଇ ପ୍ରୋଫାଇଲ ମାମଲାର ତଦନ୍ତର ରୂପ ରେଖ, ତାହାକୁ ନେଇ ଉଠିଛି ପ୍ରଶ୍ନ ।