ପରୀ ହତ୍ୟାକାଣ୍ଡ ପରେ ନୟାଗଡରେ ପୁଣି ଏକ ଲୋମହର୍ଷଣକାରୀ ଘଟଣା । ୬ ବର୍ଷର ଶିଶୁକନ୍ୟାର ମୁଣ୍ଡକାଟି ଫୋପାଡି ଦେଲା ଦୁର୍ବୃତ୍ତ । ଖୋଜା ଖୋଜି ପରେ ମିଳିଲା ମୃତଦେହ  

177

କନକ ବ୍ୟୁରୋ: ନୟାଗଡ ‘ପରୀ’ ହତ୍ୟା କାଣ୍ଡ ପରେ ଆଉ ଏକ ଛାତି ଥରା ଘଟଣା ସାମ୍ନାକୁ ଆସିଛି । ଆଉ ଏଥର ପୁଣି ଏକ ନର ରାକ୍ଷାସର ଟାର୍ଗେଟ ବନିଛି ଏହି କୁନି ଝିଅ । ମାତ୍ର୍ ୫ ବର୍ଷ ୮ ମାସ ବୟସର ଏହି କୁନି ଝିଅ ଦୁନିଆଁକୁ ଠିକ୍ ଭାବେ ଦେଖିବା ପୂର୍ବରୁ ତା ସହ ଅତ୍ୟନ୍ତ ଅମାନୁଷିକ ଘଟଣା ଘଟିଛି ।

ନୟାଗଡରୁ ପ୍ରାୟ ୧୨୦ କିଲୋମିଟର ଦୂର ବାଣିଗୋଚ୍ଛା ଥାନା ଅନ୍ତର୍ଗତ ନୂଆ ଗାଁ ପଂଚାୟତରେ ଏହି କୁନି ଝିଅ ବେବି ଗାଁ ଦାଣ୍ଡରେ୍ ଖେଳୁଥିଲା । ହଠାତ୍ ତାପରେ ଆଉ କିଛି ପତା ମିଳିଲା ନାହିଁ । ବାପା ମାଆ ଖୋଜାଖୋଜି କରି ନପାଇବା ପରେ ଗତ ୧୩ ତାରିଖରେ୍ ଏଫଆଇଆର ଦେଇଥିଲେ ।

ଏହାପରେ ପୁଲିସ ଏକ ଟିମ ପଠାଇ ଗାଁରେ ଖୋଜାଖୋଜି କରିଥିଲା । ଗାଁର ଦୁଇ ଜଣ ପିଲାଙ୍କ ସହାୟତାରେ ପୁଲିସ ଗାଁ ମୁଣ୍ଡର ଏକ ନିଛାଟିଆ ଜାଗାରେ ବେବିର ମୃତଦେହ ପାଇଥିଲା ।

ଏହି ଭଳି ଅବସ୍ଥାରେ ବେବିର ମୃତଦେହ ମିଳିଥିଲା । ଗୋଟିଏ ଜାଗାରେ ଶରୀର ଥିଲା ଏବଂ ଟିକିଏ ଦୂରରେ ମୁଣ୍ଡ ପଡିଥିଲା । ଏହାର ଅରିଜିନାଲ ଫଟୋ ଥିଲେ ମଧ୍ୟ ଆମେ ଆପଣଙ୍କୁ ତାହା ଦେଖାଇ ପାରିବୁ ନାହିଁ । କାରଣ ଶରୀର ଏକ ପ୍ରକାର ଗଳିତ ଅବସ୍ଥାରେ ଅଛି, ଏବଂ ମୁଣ୍ଡ ଖପୁରୀରୁ ଅଧା ଚମଡା ବି ବାହାରି ଯାଇଥିଲା ।

ପରୀ ଭଳି ଏକ ଅମାନୁଷିକ ଘଟଣା ମନରୁ ଲିଭିନଥିବା ବେଳେ ବେବି ସହ ପୁଣି ଏକ ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି । ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବେବିର ମୃତ ଶରୀର ଉଲଗ୍ନ ଅବସ୍ଥାରେ ମିଳିଛି ।

ଏହି ଯୁବକ ସାଗର ଦଳେଇ ଉପରେ ପୁଲିସର ସନ୍ଦେହ ରହିଛି । ପୁଲିସ ପ୍ରଥମେ ସାଗର ଓ ତାର ସାଙ୍ଗ ଉପରେ ସନ୍ଦେହ କରିଥିଲା । କିନ୍ତୁ ସେମାନଙ୍କୁ ଏ ବିଷୟରେ କିଛି ନକହି ସେମାନଙ୍କ ସହାୟତା ନେଉଛି ବୋଲି କହି ଆଗ ମୃତଦେହ ଉଦ୍ଧାର କରିଥିଲା । ପରେ ସାଗର ଉପରେ ପୁଲିସର ସନ୍ଦେହ ଦୃଢୀଭୂତ ହୋଇଥିଲା । ଏବଂ ଏହାପରେ ସାଗରକୁ ପୁଲିସ ଗିରଫ କରିଛି ।

ମୃତ ଶିଶୁ କନ୍ୟାର ଦେହରେ କୌଣସି ପୋଷାକ ନଥିବାରୁ ପୁଲିସ ସନ୍ଦେହ କରୁଛି ଏହା ଏକ ଦୁଷ୍କର୍ମ ଓ ହତ୍ୟା ଘଟଣା ହୋଇପାରେ । ତେବେ ସେନେଇ ପୁଲିସ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।

ସନ୍ଦେହ କରାଯାଉଛି, ଶିଶୁକନ୍ୟା ବେବିର ଗଳାରେ ଦଉଡି ଭିଡି ଏଭଳି ହତ୍ୟାକାଣ୍ଡ ଘଟାଯାଇଛି । ଏହାପରେ ମୁଣ୍ଡକୁ କାଟି ଶରୀରରୁ ଅଲଗା କରାଯାଇଛି । ପରୀ ଭଳି ଏକ ଜଘନ୍ୟ ଘଟଣା ପରେ ପୁଣି ଆଉ ଜଣେ ଶିଶୁ କନ୍ୟା ସହ ଏଭଳି ଘଟଣା ସମସ୍ତଙ୍କୁ ବିଚଳିତ କରିଦେଇଛି ।