କରୋନା ବଢାଇଲା ଟିମ୍ ଇଣ୍ଡିଆର ଚିନ୍ତା, ୫ମ ଟେଷ୍ଟ ପୂର୍ବରୁ ଆଉ ଜଣେ ସହଯୋଗୀ ସଦସ୍ୟଙ୍କୁ କରୋନା ।

360

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ସିରିଜର ଶେଷ ମ୍ୟାଚ ଉପରେ ଏବେ ଆଶଙ୍କାର କଳାବାଦଲ ଘୂରିବୁଲୁଛି । କାରଣ ୫ମ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଆଉ ଜଣେ ସଦସ୍ୟ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳର ଆଉ ଜଣେ ସହଯୋଗୀ ସଦସ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ଟିମ୍ ଇଣ୍ଡିଆର ଫିଜିଓ ଯୋଗେଶ ପରମାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶେଷ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଏହି ଖବର ଟିମ୍ ଇଣ୍ଡିଆର ଚିନ୍ତା ବଢାଇଛି । ଯେଉଁଥିପାଇଁ ଆଜି ହେବାକୁ ଥିବା ଟ୍ରେନିଂ ସେସନକୁ ରଦ୍ଦ କରି ଦିଆଯାଇଛି । ଯୋଗେଶ ପରମାରଙ୍କ ପୂର୍ବରୁ ଟିମର ମୁଖ୍ୟ ଫିଜିଓ ନୀତିନ ପଟେଲ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ଆଉ ଦୁଇ ଜଣ ଫିଜିଓ କରୋନାରେ ସଂକ୍ରମିତ ହେବା ପରେ ଏବେ ଇଂଲଣ୍ଡର ଫିଜିଓଙ୍କ ସହାୟତା ନେଇପାରନ୍ତି ଟିମ୍ ଇଣ୍ଡିଆ ଖେଳାଳୀ ।

ମିଳିଥିବା ସୂଚନା ମୁତାବକ, ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ଖେଳାଳୀଙ୍କୁ ହୋଟେଲ ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି । ବୁଧବାର ସନ୍ଧ୍ୟାରେ କରୋନା ଟେଷ୍ଟ ହେବା ପରେ ଏହି ମାମଲା ସାମ୍ନାକୁ ଆସିଛି । ଏହାପୂର୍ବରୁ କୋଚ୍ ରବି ଶାସ୍ତ୍ରୀ, ବୋଲିଂ କୋଚ୍ ଭରତ ଅରୁଣ, ଆର ଶ୍ରୀଧର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କୁ ୧୦ ଦିନ ଲେଖାଏଁ ସଙ୍ଗରୋଧରେ ରଖାଯାଇଛି । ଚତୁର୍ଥ ଟେଷ୍ଟ ଚାଲିଥିବା ବେଳେ ଟିମ୍ ଇଣ୍ଡିଆର ଏହି ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ଭାରତ ଏବେ ସିରିଜରେ ୨-୧ରେ ଆଗରେ ରହିଛି । ତେଣୁ ଶେଷ ମ୍ୟାଚରେ ବିଜୟୀ ହୋଇ ନଚେତ ଡ୍ର କରି ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ ।