ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ଆଉ ଏକ ସଫଳତା : ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଦେଶରେ ଶ୍ରେଷ୍ଠ

114

କନକ ବ୍ୟୁରୋ : ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ୁଛି ଓଡ଼ିଶା । ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକ ଜାତୀୟସ୍ତରରେ ନିଜର ଦବ୍‌ଦବା ଜାହିର କରୁଛନ୍ତି । ଦେଶର ଶ୍ରେଷ୍ଠ ୫ଟି ସରକାରୀ ବିଦ୍ୟାଳୟ ମଧ୍ୟରେ ଦୁଇଟି ଆଦର୍ଶ ବିଦ୍ୟାଳୟ ସ୍ଥାନ ପାଇଥିବା ବେଳେ ଆଜି ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ଏଜୁକେସନ୍ ୱାଲ୍‌ର୍ଡ ଇଣ୍ଡିଆ ସ୍କୁଲ୍ ରାଙ୍କିଙ୍ଗ୍‌ ୨୦୨୦ର ଘରୋଇ ସ୍କୁଲ ବର୍ଗର ଡେ’ କମ୍ ବୋର୍ଡିଂ ବିଭାଗରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଶ୍ରେଷ୍ଠ ସ୍କୁଲ୍ ମାନ୍ୟତା ପାଇ ଓଡ଼ିଶାର ଏକ ନମ୍ବର ସ୍କୁଲ ହୋଇପାରିଛି । ଯାହା ଆଗାମୀ ପିଢ଼ିର ସ୍କୁଲ ରାଙ୍କିଙ୍ଗ୍‌, ଏଡଫିନିଟି, ଆମେରିକା ଦ୍ୱାରା ପ୍ରଦାନ କରାଯାଇଛି ।

ପୂର୍ବ ଭାରତରୁ ଏକମାତ୍ର ସ୍କୁଲ୍‌ ଭାବେ ସହବନ୍ଧିତ ହୋଇ କେ-୧୨ ଶୈକ୍ଷିକ କ୍ଷେତ୍ରରେ ପ୍ରବେଶ କରିଛି। ୨୦୧୯ରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଦେଶର ତୃତୀୟ ଶ୍ରେଷ୍ଠ ସ୍କୁଲ ମାନ୍ୟତା ପାଇଥିଲା । ସ୍କୁଲ ପ୍ରତିଷ୍ଠିତ ହେବାର ୧୨ ବର୍ଷରୁ କମ୍‌ ବର୍ଗରେ ଦେଶର ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ସ୍କୁଲ୍ ଭାବେ ପରିଚିତ ଲାଭ କରିଛି । ଏଜୁ‌କେସନ୍ ୱାଲ୍‌ର୍ଡ ଇଣ୍ଡିଆ ସ୍କୁଲ୍ ରାଙ୍କିଙ୍ଗ୍‌ ସର୍ଭେ ସାଇ ଇଣ୍ଟରନ୍ୟାସନାଲ୍‌ ସହିତ ଦିଲ୍ଲୀ ଆରକେପୁରମ୍‌ସ୍ଥିତ ଡିପିଏସ୍‌ ଶ୍ରେଷ୍ଠ ସ୍କୁଲ୍‌ର ମାନ୍ୟତା ପ୍ରଦାନ କରିଛନ୍ତି ।

ରାଙ୍କିଙ୍ଗ୍‌‌‌‌‌ରେ ସମୁଦାୟ ୧୧ ହଜାର ୩୬୮ଜଣ ଶିକ୍ଷାବିତ୍‌, ପ୍ରିନ୍ସପାଲ୍‌, ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକଙ୍କୁ ନେଇ ଦେଶର ଶ୍ରେଷ୍ଠ ୧୦୦୦ ସ୍କୁଲ ମଧ୍ୟରେ ଚୟନ କରାଯାଇଥିଲା। ଦିଲ୍ଲୀର ଏକ ଓପିନୟନ୍ ପୋଲ୍‌ ସଂସ୍ଥା ସି-ଫୋର ଗ୍ରୁପ୍ ଏହି ସର୍ଭେ କରିଥିଲା। ଶିକ୍ଷକ କଲ୍ୟାଣ ଓ ବିକାଶ, ଏକାଡେମିକ୍ ପ୍ରତିଷ୍ଠା, ଶିକ୍ଷକ ଦକ୍ଷତା, ନେତୃତ୍ୱ, ଭିତ୍ତିଭୂମି, ଜୀବନ କୌଶଳ, ସହ ପାଠ୍ୟକ୍ରମ ଓ କ୍ରୀଡ଼ା ଶିକ୍ଷା ପରି ୧୪ଟି ମାନଦଣ୍ଡକୁ ବିଚାରକୁ ନେଇ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌କୁ ଶ୍ରେଷ୍ଠ ସ୍କୁଲ୍‌ ଭାବେ ଚୟନ କରାଯାଇଛି ।