କନକ ବ୍ୟୁରୋ: ବଡଭାଇ ମେଡିକାଲ ପ୍ରସ୍ତୁତି କରୁଥିଲା ବୋଲି ସେ ବି ମେଡିକାଲ ଏଣ୍ଟ୍ରାନ୍ସ ପ୍ରସ୍ତୁତି କରିବାକୁ ଜିଦି ଧରିଲା । ମାତ୍ର ସପ୍ତାହେ ତଳେ କୋଟାରେ ରହି କୋଚିଙ୍ଗ ନେବାକୁ ଆସିଥିଲା । ହେଲେ କ’ଣ ହେଲା ଯେ, ଆତ୍ମହତ୍ୟା କଲେ ଛାତ୍ର । ଏହି ଘଟଣାରେ ସରକାର ତଦନ୍ତ କରିବାକୁ ଦାବୀ କରିଛନ୍ତି ପରିବାର ଲୋକେ ।

Advertisment

ଆଇଆଇଟି ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ପାଇଁ ଉଚ୍ଚତର କୋଚିଂ ନେବାକୁ ରାଜସ୍ଥାନର କୋଟାକୁ ଆସି ସପ୍ତାହେ ତଳେ ଏକ କୋଚିଂ ସେଣ୍ଟରରେ ନାମ ଲେଖାଇଥିବା ଜଣେ ୧୭ ବର୍ଷୀୟ ଛାତ୍ର ରବିବାର ହଷ୍ଟେଲ ରୁମ୍‌ରେ ଆତ୍ମହତ୍ୟା କରିଛନ୍ତି। ତେବେ ଛାତ୍ର ଜଣକ କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡ଼ି ନାହିଁ।

ଛାତ୍ରଜଣକ ପୁଷ୍ପେନ୍ଦ୍ର ସିଂହ ବୋଲି ଚିହ୍ନଟ କରାଯାଇଛି, ଯିଏ ରାଜସ୍ଥାନର ଗ୍ରାନାଇଟ ସହର ଜାଲୋରରୁ ଆଇଆଇଟି କୋଚିଂ ନେବା ପାଇଁ ଅଳ୍ପଦିନ ତଳେ କୋଟା ଆସିଥିଲେ। ତାଙ୍କର ଅକାଳ ମୃତ୍ୟୁରେ ପୁଷ୍ପେନ୍ଦ୍ରଙ୍କ ପରିବାର ଭାଙ୍ଗିପଡ଼ିଛନ୍ତି। ତାଙ୍କ କକା ଇନ୍ଦ୍ର ସିଂହଙ୍କ କହିବା ଅନୁସାରେ ପୁଷ୍ପେନ୍ଦ୍ର ଜଣେ ମେଧାବୀ ଛାତ୍ର, ଯିଏ ୧୦ମ ଶ୍ରେଣୀ ପରୀକ୍ଷାରେ ୮୫ ପ୍ରତିଶତ ମାର୍କ ରଖିଥିଲେ। ଘଟଣାର ବିଧିବଦ୍ଧ ତଦନ୍ତ କରିବା ପାଇଁ ତାଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି।

ପୁଷ୍ପେନ୍ଦ୍ରଙ୍କ ଆତ୍ମହତ୍ୟାକୁ ମିଶାଇ କୋଟାରେ ଗତ ଜାନୁଆରିରୁ ଏପର୍ୟ୍ୟନ୍ତ ମୋଟ ୧୮ ଜଣ ଛାତ୍ର ଆତ୍ମହତ୍ୟା କଲେଣି। ତେବେ ନିଜର କୋଚିଂ ସେଣ୍ଟରଗୁଡ଼ିକ ପାଇଁ ଜଣାଶୁଣା ରାଜସ୍ଥାନର କୋଟା ଏବେ ସୁଇସାଇଡ୍ ହବ୍ ପାଲଟିଛି । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିଲେ ବି ପ୍ରଶାସନ କିନ୍ତୁ ନୀରବ ଦ୍ରଷ୍ଟା ପାଲଟିଛି, ଯାହା ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ।