କନକ ବ୍ୟୁରୋ : ମାଡ଼ି ଆସୁଛି ଆଉ ଏକ ସାମୁଦ୍ରିକ ବାତ୍ୟା । ଭାରତ ମହାସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ୨୫ ତାରିଖ ମଧ୍ୟାହ୍ନରୁ ଅପରାହ୍ଣ ମଧ୍ୟରେ ଏହା ପୁଡୁଚେରି ଓ ତାମିଲନାଡ଼ୁ ଦେଇ ଉପକୂଳ ଅତିକ୍ରମ କରିବ । ପାଣିପାଗ ବିଜ୍ଞାନୀମାନେ ଏହି ସମ୍ଭାବ୍ୟ ବାତ୍ୟାର ନାମ ‘ନିଭାର୍’ ରଖିଥିବା ଜଣାଯାଇଛି। ତେବେ ଆଶ୍ୱସ୍ତିକର କଥା ହେଲା ଯେ ଓଡ଼ିଶା ଉପରେ ଏହାର ସିଧା ପ୍ରଭାବ ପଡ଼ିବ ନାହିଁ । ୨୫ ଓ ୨୬ ତାରିଖରେ ହାତଗଣତି କିଛି ଜିଲ୍ଲାକୁ ଛାଡ଼ିଦେଲେ ରାଜ୍ୟର ଅଧିକାଂଶ ସ୍ଥାନରେ କେବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଯୋଗୁଁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ହେବ ଓ ଶୀତ କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।
ଆସୁଛି ଆଉ ଏକ ସାମୁଦ୍ରିକ ବାତ୍ୟା ‘ନିଭାର୍’ : ୨୫ରୁ ୨୭ ବର୍ଷିବ; ଓଡ଼ିଶାକୁ ନାହିଁ ବିପଦ
/kanak/media/post_attachments/wp-content/uploads/2020/11/Cyclone-1.jpg)
ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ତାମିଲନାଡ଼ୁ ସମେତ ଦକ୍ଷିଣ ଭାରତରେ ବାତ୍ୟା ‘ନିଭାର’ର ବିଶେଷ ପ୍ରଭାବ ପଡ଼ିବ । କିନ୍ତୁ ଓଡ଼ିଶାରେ କେବଳ ବର୍ଷା ହେବ । ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ଭଦ୍ରକ ଆଦି ଜିଲ୍ଲାକୁ ଛାଡ଼ି ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହେବ । ୨୬ ତାରିଖରୁ ବର୍ଷା ବଢ଼ିବ। ଅବିଭକ୍ତ କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀରରେ ମଧ୍ୟମଧରଣର ଓ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ତେବେ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଢେଙ୍କାନାଳ ଓ ଅନୁଗୁଳରେ ସ୍ବଳ୍ପ ବର୍ଷା ଓ ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ପୁରୀ, ଖୋର୍ଧା, ନୟାଗଡ଼, କଟକ, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ ଓ ବାଲେଶ୍ବରରେ ହାଲ୍କା ବର୍ଷା ହୋଇପାରେ । ସମ୍ଭାବ୍ୟ ବାତ୍ୟା ଯୋଗୁଁ ୨୪ ତାରିଖରୁ ଶୀତ କମିବ । ୨୯ ତାରିଖରୁ ପୁଣି ରାଜ୍ୟର ତାପମାତ୍ରା କମିବ, କିନ୍ତୁ ଡିସେମ୍ବର ୩ ପୂର୍ବରୁ ରାଜ୍ୟରେ ବିଶେଷ ଶୀତର ସମ୍ଭାବନା ନାହିଁ ବୋଲି ଡ. ପଶୁପାଳକ କହିଛନ୍ତି ।