କନକ ବ୍ୟୁରୋ: ନକଲି ସାର୍ଟିଫିକେଟ୍ ନେଇ ଆଉ ଏକ ବଡ ଖୁଲାସା ହୋଇଛି । ଓଡିଶାରେ ଠକେଇ ହୋଇଥିବାବେଳେ ଉତରପ୍ରଦେଶକୁ ଲମ୍ବିଛି ଚେର । ଓଡିଆ ଭାଷାରେ ପରୀକ୍ଷା ହୋଇଥିବାବେଳେ ଦେବନାଗରୀରେ ପ୍ରଶ୍ନ ପଚରାଯାଇଛି । ଆଉ ଏଭଳି ପ୍ରଶ୍ନପତ୍ର ଦେଖାଇ ନକଲି ସାର୍ଟିଫିକେଟ୍ର ବାଟ ଖୋଲୁଥିଲେ ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର । ପିଲାଙ୍କୁ କିଛି ଏଭଳି ପ୍ରତିଶ୍ରୁତି ଦିଆଯାଉଥିଲା, ଯେମିତି ସନ୍ଦେହ ସୃଷ୍ଟି ହେବ ନାହିଁ ।

Advertisment

ଉତରପ୍ରଦେଶ ବୋର୍ଡ ଅଧିନରେ ଥିବା ଓଡ଼ିଆ ଭାଷା ବିଷୟର ଏହି ପ୍ରଶ୍ନ ପତ୍ରକୁ ଦେଖନ୍ତୁ । ଓଡ଼ିଆ ଭାଷାର ପରୀକ୍ଷା ପାଇଁ ହିନ୍ଦୀ ଲେଖାଯାଉଥିବା ଦେବନାଗିରି ଲିପିରେ ପ୍ରଶ୍ନ ରହିଛି । କିଛି ଏହି ଭଳି ପ୍ରଶ୍ନପତ୍ର ଦେଖାଇ ନକଲି ସାର୍ଟିଫିକେଟ୍ ବାଟ ଖୋଲୁଥିଲେ ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର । ସୂଚନା ଅନୁସାରେ ପିଲାଙ୍କୁ କିଛି ଏଭଳି ପ୍ରତିଶ୍ରୁତି ଦିଆଯାଉଥିଲା, ଯେମିତି ସନ୍ଦେହ ସୃଷ୍ଟି ହେବ ନାହିଁ । କୁହାଯାଉଥିଲା ।
- ପ୍ରଶ୍ନ ହିନ୍ଦୀରେ ଆସିବ, କିନ୍ତୁ ଓଡ଼ିଆରେ ଲେଖିପାରିବେ ଉତ୍ତର
- ଲେଖିବାରେ ସହଜ ହେବ ଭଲ ନମ୍ବରରେ ପାସ୍ ହୋଇପାରିବେ
- ଅନଲାଇନରେ ହେବ ପରୀକ୍ଷା, ଉତ୍ତରପ୍ରଦେଶ ଯିବାକୁ ପଡ଼ିବନି
- ବଲାଙ୍ଗୀରରେ ବସି ୟୁପି ବୋର୍ଡର ସାର୍ଟିଫିକେଟ୍ ପାଇପାରିବେ
- ଭଲ ନମ୍ବର ସହ ପାସ୍ ହେବା ନିଶ୍ଚିତ

ଆଶାୟୀ ଛାତ୍ରଛାତ୍ରୀଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ବେଳେବେଳେ ୟୁପିରେ ଥିବା କିଛି ଲୋକଙ୍କ ସହ ଫୋନ୍୍ରେ କଥା କରାଇଦେଉଥିଲେ, ଓଡ଼ିଶାରେ ଫେକ୍୍ ସାର୍ଟିଫିକେଟ୍ ରାକେଟ୍ ଚଳାଇଥିବା ମାଷ୍ଟର ମାଇଣ୍ଡ । ଛାତ୍ରଛାତ୍ରୀଙ୍କୁ ବିଶ୍ୱାସରେ ନେବା ପରେ ଦାବି କରୁଥିଲେ ମୋଟା ଅଙ୍କର ଟଙ୍କା ।

ସୂଚନା ଅନୁସାରେ, ଅନ୍ଲାଇନ୍ ପରୀକ୍ଷା କରାଯାଉଛି କହି ନକଲି ପରୀକ୍ଷା କରାଉଥିଲେ ଦଲାଲ । ଆଉ ପିଲାଙ୍କୁ ଭୁଆଁ ବୁଲାଇ ସାର୍ଟିଫିକେଟ୍ ଦେଉଥିଲେ । ଏପରିକି ପରୀକ୍ଷା ନଦେଇ ମଧ୍ୟ ଓଡ଼ିଆରେ ଶହେରୁ ୯୯ ନମ୍ବର ରଖି ପାସ୍ କରୁଥିଲେ ଛାତ୍ରଛାତ୍ରୀ । ତେବେ ଏହି ପରୀକ୍ଷା ସହ ୟୁପିବୋର୍ଡ ସହ କ’ଣ ସମ୍ପର୍କ ରହିଛି ବୋଲି କିଏ ପ୍ରଶ୍ନ କଲେ । ଏହି ଶିକ୍ଷାର ଦଲାଲମାନେ, ରାକେଟ ସହ ସଂପୃକ୍ତ ଥିବା ୟୁପିର କିଛି ବ୍ୟକ୍ତିଙ୍କ ସହ ଫୋନରେ କଥା କରାଇଦେଉଥିଲେ । ଆଉ ସେଠି ବସିଥିବା କିଛି ଦଲାଲ୍, ନିଦ୍ୱର୍ନ୍ଦ୍ୱରେ ପରୀକ୍ଷା ଦେବା ସହ ସଫଳତାର ନିର୍ଭର ପ୍ରତିଶ୍ରୁତି ଦେଉଥିଲେ । ଏପଟେ ବଲାଙ୍ଗୀର ନକଲି ସାର୍ଟିଫିକେଟ୍ ମାମଲାରେ ୨ଶହ ଜଣଙ୍କର ଏକ ତାଲିକା ପ୍ରସ୍ତୁତ କରି ତଦନ୍ତ କରୁଛି କ୍ରାଇମବ୍ରାଂଚ୍ । ପ୍ରାୟ ଦୁଇ ସପ୍ତାହ ଧରି ବଲାଙ୍ଗୀରରେ ଡେରା ପକାଇଛି କ୍ରାଇମବ୍ରାଂଚ୍ ଟିମ୍ । ସବୁ ଦିଗରେ ତଦନ୍ତ ଚାଲିଥିବା କହିଛନ୍ତି କ୍ରାଇମବ୍ରାଂଚ ଡିଏସପି । ତେବେ ଡାଗ ବିଭାଗର ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି, ଶିକ୍ଷା ବିଭାଗ ସମ୍ପର୍କରେ ଆପତି ଥିଲେ ଥାନାରେ ଅଭିଯୋଗ କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି ।

ବଲାଙ୍ଗୀର ନକଲି ସାର୍ଟିଫିକେଟ୍ କେଳେଙ୍କାରୀ ଘଟଣାର ଚେର ଉତରପ୍ରଦେଶ ଯାଏଁ ଲମ୍ବିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ତେବେ ନକଲି ସାର୍ଟିଫିକେଟ୍ ଦେଇ କେଉଁ କେଉଁ ବିଭାଗରେ କେତେ ପିଲା ଚାକିରି କରିଛନ୍ତି, ତାହା ଏବେ ବି ସ୍ପଷ୍ଟ ହୋଇପାରିନି ।