ଗୁଜରାଟରେ ପୁଣି ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ । ୨ଦିନ ତଳେ ଜିମ୍ବାୱେରୁ ଆସିବା ପରେ ହୋଇଥିଲେ ପଜିଟିଭ୍ ।

136

କନକ ବ୍ୟୁରୋ : କର୍ଣ୍ଣାଟକ ପରେ ଗୁଜରାଟରୁ ଚିହ୍ନଟ ହେଲେ ଦେଶର ତୃତୀୟ ଓମିକ୍ରନ ଆକ୍ରାନ୍ତ । ଦୁଇ ଦିନ ତଳେ ଜିମ୍ବାୱେରୁ ଜାମନଗର ଫେରିଥିବା ବ୍ୟକ୍ତି ଜଣକ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କର ଜିନୋମ ସିକ୍ୱେନ୍ସିଂ କରାଯାଇଥିଲା, ଯେଉଁଥିରୁ ସେ ‘ଓମିକ୍ରନ’ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଛି । ସେପଟେ ଅର୍ନ୍ତଜାତୀୟ ସ୍ତରରୁ ଆସୁଥିବା ରିପୋର୍ଟ କହୁଛି, ‘ଓମିକ୍ରନ’ରେ ଲୋକ ସଂକ୍ରମିତ ହେଉଛନ୍ତି ହେଲେ ଏପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇନାହିଁ ।

ଦେଶରେ ଚିହ୍ନଟ ହେଲା ଆଉ ଏକ ଓମିକ୍ରନ କେସ୍ । ଜିମ୍ବାୱେରୁ ଫେରିଥିବା ଗୁଜରାଟ ଜାମନଗରର ବ୍ୟକ୍ତି ଓମିକ୍ରନ ଆକ୍ରାନ୍ତ । କର୍ଣ୍ଣାଟକ ପରେ ଏବେ ଗୁଜରାଟରେ ଚିହ୍ନଟ ହୋଇଛନ୍ତି ଓମିକ୍ରନ ଆକ୍ରାନ୍ତ । ଜିମ୍ବାୱେରୁ ଜାମନଗରକୁ ଦୁଇ ଦିନ ତଳେ ଫେରିଥିବା ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ ଠାରେ ଓମିକ୍ରନ ଭାରିଆଣ୍ଟ ମିଳିଛି । ତାଙ୍କୁ ପ୍ରଥମେ ଜ୍ୱର ହେବା ପରେ ସେ ଆରଟିପିସିଆର ଟେଷ୍ଟ କରାଇଥିଲେ, ଏଥିରେ ପଜିଟିଭ୍ ରିପୋର୍ଟ ଆସିଥିଲା । ଏହାପରେ ନମୂନାର ଜିନୋମ ସିକ୍ୱେନ୍ସିଂ କରାଯିବାରୁ ଜଣାପଡ଼ିଲା ଯେ, ସେ ଓମିକ୍ରନରେ ଆକ୍ରାନ୍ତ । ତାଙ୍କର ଏବେ ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏହା ଦେଶରେ ଓମିକ୍ରନର ତୃତୀୟ ମାମଲା । ଏହାପୂର୍ବରୁ କର୍ଣ୍ଣାଟକରୁ ୨ଜଣ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଥିଲେ ।

ଓମିକ୍ରନକୁ ନେଇ ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକଙ୍କ ତଥ୍ୟ । ଅଧିକ ସଂକ୍ରାମକ, ହେଲେ କମ୍ ଘାତକ । ଓମିକ୍ରନକୁ ନେଇ ସାରା ବିଶ୍ୱରେ ଚିନ୍ତା ଓ ସତର୍କତା ଦେଖାଯାଉଥିବା ବେଳେ କରୋନାର ଏହି ଭାରିଆଣ୍ଟ ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଦକ୍ଷିଣ ଆଫ୍ରିକାରେ ବୈଜ୍ଞାନିକ ମାନେ ଅନୁଧ୍ୟାନ ପରେ, ଯେଉଁ ତଥ୍ୟ ପାଇଛନ୍ତି, ତାହା ଅନୁସାରେ, ଯଦିଓ ଓମିକ୍ରନ ଅଧିକ ସଂକ୍ରାମକ, ହେଲେ କମ୍ ଘାତକ । ନଜର ପକାନ୍ତୁ ପୁରା ଅନୁଧ୍ୟାନ ଉପରେ..

*ଦୃତ ଗତିରେ ବଢ଼ୁଛି ଓମିକ୍ରନ ସଂକ୍ରମଣ
*ଡେଲଟା ଭାରିଆଣ୍ଟ ତୁଳନାରେ ଏହା ୨ ଗୁଣରୁ ଅଧିକ ବେଗରେ ବ୍ୟାପୁଛି
*ଅଧିକ ସଂକ୍ରାମକ ସହ ଶରୀରର ପ୍ରତିରୋଧକ ଶକ୍ତିକୁ ଭେଦ କରିବାର କ୍ଷମତା ରଖିଛି ଓମିକ୍ରନ
*ଟିକା ପ୍ରତିରୋଧକ କ୍ଷମତାକୁ ମଧ୍ୟ ଏହା ଭେଦ କରିପାରୁଛି
*ତେବେ କେତେମାତ୍ରାରେ ଟିକାକୁ ପ୍ରତିରୋଧକ କ୍ଷମତାକୁ ଭେଦ କରୁଛି, ସ୍ପଷ୍ଟ ହୋଇନାହିଁ
*ଯଦିଓ ସଂକ୍ରମଣ ବଢ଼ୁଛି, ହେଲେ ରୋଗୀ ଗୁରୁତର ହେବାର ଆଶଙ୍କା କମ୍
*ଏପର୍ଯ୍ୟନ୍ତ ଓମିକ୍ରନରେ କାହାର ମୃତ୍ୟୁ ହୋଇଥିବାର ଖବର ମିଳି ନାହିଁ