କୋଭିଡ୍ ରୋଗୀଙ୍କ ପାଇଁ ଶେଷ ବିକଳ୍ପ ସାଜିଛି ଏକମୋ ଚିକିତ୍ସା : ଫୁସଫୁସ ସଂକ୍ରମିତ ହେବାରୁ ଜୁନାଗଡର ଲକ୍ଷ୍ମୀକାନ୍ତଙ୍କୁ କୋଲକାତାକୁ କରାଗଲା ଏୟାରଲିଫ୍ଟ

315

କନକ ବ୍ୟୁରୋ : କୋଭିଡ୍ ରୋଗୀଙ୍କ ପାଇଁ ଶେଷ ବିକଳ୍ପ ସାଜିଛି ଏକମୋ ଚିକିତ୍ସା । ଏକମୋ ଚିକିତ୍ସା ପାଇଁ ଆଜି ଆଉ ଜଣେ କରୋନା ରୋଗୀଙ୍କୁ କୋଲକତାକୁ ଏୟାରଲିଫ୍ଟ କରାଯାଇଛି । ଜୁନାଗଡର ୪୧ ବର୍ଷିୟ ଲକ୍ଷ୍ମୀକାନ୍ତ ନାୟକଙ୍କ ଫୁସଫୁସ ସଂକ୍ରମିତ ହୋଇଯାଇଥିବାରୁ ତାଙ୍କର ଏକମୋ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ନିଆଯାଇଛି । ଲକ୍ଷ୍ମୀକାନ୍ତ କୋଭିଡରେ ଆକ୍ରାନ୍ତ ହେବା ପରେ ଗତ ମାସ ୨୪ ତାରିଖରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

କିନ୍ତୁ ନିମୋନିଆ ଯୋଗୁଁ ତାଙ୍କ ଫୁସଫୁସ ସଂକ୍ରମିତ ହୋଇଛି । ଫଳରେ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ଅଧିକ ବିଗିଡିବାରେ ଲାଗିଥିଲା । ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେଉଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଏକମୋ ଚିକିତ୍ସା ପାଇଁ ଯୋଗାଯୋଗ କରିଥିଲେ ସମ୍ପର୍କୀୟ । ତାପରେ ଦିଲ୍ଲୀର ଏକ ସ୍ୱତନ୍ତ୍ର ୪ଜଣିଆ ଡାକ୍ତରୀ ଦଳର ସହାୟତାରେ ତାଙ୍କୁ ଏୟାରଲିଫ୍ଟ କରାଯାଇଛି । କଟକରୁ ସ୍ୱତନ୍ତ୍ର ଗ୍ରୀନ କରିଡର କରି ଲକ୍ଷ୍ମୀକାନ୍ତଙ୍କୁ ବିମାନବନ୍ଦରକୁ ଅଣାଯାଇଥିଲା । ବିମାନବନ୍ଦରରେ ଆମ୍ବୁଲାନ୍ସ ପହଁଚିବା ପରେ ପୂର୍ବରୁ ପ୍ରସ୍ତୁତ ରହିଥିବା ଏୟାର ଆମ୍ବୁଲାନ୍ସରେ ଲକ୍ଷ୍ମୀକାନ୍ତଙ୍କୁ ଏୟାରଲିଫ୍ଟ କରାଯାଇଛି ।