ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ଅବପାତର ପ୍ରଭାବ : ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା

ଆସନ୍ତାକାଲି ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ କ୍ଷେତ୍ର । ପ୍ରଭାବରେ ରବିବାର ଯାଏଁ ୩ରୁ ୪ ଡିଗ୍ରୀ ବଢ଼ିପାରେ ରାତିର ତାପମାତ୍ରା । କମିବ ଶୀତ, ଦିନରେ ମେଘୁଆ ରହିବ ପାଗ ।

271

କନକ ବ୍ୟୁରୋ : ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ରହିଛି ଅବପାତ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି । ଗଜପତି, ଗଂଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ ଏବଂ ରାୟଗଡ଼ା ଜିଲ୍ଲାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟ ଧରଣର ବର୍ଷା ଲାଗି ରହିଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ହାଲୁକା ବର୍ଷା ହୋଇଛି ।

ଆସନ୍ତାକାଲି ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ କ୍ଷେତ । ଏହା ପ୍ରଭାବରେ ରବିବାର ଯାଏଁ ୩ରୁ ୪ ଡିଗ୍ରୀ ବଢ଼ିପାରେ ରାତିର ତାପମାତ୍ରା । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଅବପାତ ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇଛି । ଏହି ଅବପାତ ଯୋଗୁଁ ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ଉଷ୍ମବାୟୁ ଓଡ଼ିଶାକୁ ପ୍ରବେଶ କରୁଛି । ଏଣୁ ରାତିର ତାପମାତ୍ରା ବଢ଼ିବା ସହ ଶୀତ କମିବ ।

ରାଜ୍ୟରେ ଏବେ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଉଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୧୩ ତାରିଖ ଆଡକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଂଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଧୀରେ ଧୀରେ ପଶ୍ଚିମ- ଉତରପଶ୍ଚିମ ଆଡକୁ ଗତି କରି ଅଧିକ ଘନୀଭୂତ ହେବ । ପରବର୍ତୀ ୪୮ ଘଂଟାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ସୋମବାର ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ସହ ଅଳ୍ପ କେତେକ ସ୍ଥାନରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ ।