ଆଜି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ : ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

418

କନକ ବ୍ୟୁରୋ: ଲଗାଣ ବର୍ଷା କମି ନଥିବାବେଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଉଏକ ଲଘୁଚାପର ରୂପ ନେବାକୁ ଯାଉଛି । ପଶ୍ଚିମ ମିଆଁମାର ଅଂଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଉତର ବଙ୍ଗୋପସାଗର ଓ ପାଶ୍ୱବର୍ତୀ ଅଂଚଳରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହାର ପରବର୍ତୀ ୨୪ଘଂଟା ମଧ୍ୟରେ ଆହୁରି ଘନୀଭୂତ ହେବ ଓ ପଶ୍ଚିମ-ଉତରପଶ୍ଚିମ ଦିଗରେ ଗତି କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏଥିଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ଉତ୍ପନ୍ନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ସ୍ଥିତିକୁ ନଜରରେ ରଖି ପାଣିପାଗ ବିଭାଗ ପକ୍ଷରୁ ୧୩, ୧୪ ଓ ୧୫ ତାରିଖ ପାଇଁ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଶନିବାର ଦିନ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଓ କଟକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୧୪ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡା, ନବରଂଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ, ଅନୁଗୁଳ, ସମ୍ବଲପୁର ଓ ଦେବଗଡ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଲଗାଣ ବର୍ଷା ଯୋଗୁଁ ପାହାଡିଆ ଅଂଚଳରେ ଭୁସ୍ଖଳନ ହେବାର ଓ ମାଟି ଅତଡା ଧସିସବାର ମଧ୍ୟ ଆଶଙ୍କା ରହିଛି ।