୨ରେ ପୁଣି ଏକ ଲଘୁଚାପ : ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

1,854

କନକ ବ୍ୟୁରୋ : ବାତ୍ୟା ‘ନିଭାର୍’ର ପ୍ରଭାବ ନ ସରୁଣୁ ଆଉ ଏକ ବଡ଼ ଲଘୁଚାପ ତାମିଲନାଡ଼ୁ ପ୍ରତି ବିପଦ ସୃଷ୍ଟି କଲାଣି । ଆସନ୍ତା ୨୯ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ୨ ତାରିଖ ଦିନ ତାମିଲନାଡୁ ଓ ପୁଡ଼ୁଚେରି ଉପକୂଳ ଦେଇ ଅବପାତ ରୂପରେ ଅତିକ୍ରମ କରିବ । ପ୍ରଭାବରେ ତାମିଲନାଡୁ ଓ ପୁଡ଼ୁଚେରିରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଏହି ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ କ’ଣ ରହିବ, ତାହା ସ୍ପଷ୍ଟ ହୋଇପାରିନାହିଁ । ଅପରପକ୍ଷେ ଗତକାଲି ବର୍ଷା ଯୋଗୁଁ ଓଡ଼ିଶାରେ ଶୀତ କମିଥିଲା । କିନ୍ତୁ ଆସନ୍ତାକାଲିଠାରୁ ପାରଦ ପୁଣି ଖସିବ । ଆସନ୍ତା ୩ ଦିନ ଭିତରେ ତାପମାତ୍ରା ହାରାହାରି ୪ଡିଗ୍ରି ପର୍ଯ୍ୟନ୍ତ ଖସିଯିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଗତ ୨୪ ଘଣ୍ଟା‌ରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ସମେତ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ପାରଳାଖେମୁଣ୍ଡିରେ ସର୍ବାଧିକ ୧୭.୪ ମିମି ବର୍ଷା ହୋଇଥିବା ବେଳେ କଟକ ଜିଲ୍ଲା ବାଙ୍କିରେ ୧୧.୦ ମିମି, ମାଲକାନଗିରିରେ ୫.୨ ମିମି ଓ ବ୍ରହ୍ମପୁରରେ ୫ ମିମି ବର୍ଷା ରେକର୍ଡ ହୋଇଛି । ଗତକାଲି ରାଜ୍ୟର ୯ଟି ସହରର ତାପମାତ୍ରା‌ ୧୫ ଡିଗ୍ରୀ ତଳକୁ ରହିଥିବା ବେଳେ ମାତ୍ର ୨ଟି ସ୍ଥାନର ତାପମାତ୍ରା ୧୫ଡିଗ୍ରୀ ତଳକୁ ରହିଛି । ଦାରିଙ୍ଗବାଡ଼ି‌ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୩.୮ ଡିଗ୍ରୀ ରହିଥିବା ବେଳେ ବାକି ସମସ୍ତ ସ୍ଥାନରେ ୧୫ଡିଗ୍ରୀ ଉପରକୁ ସର୍ବନିମ୍ନ ତାପମାତ୍ରା ରହିଥିଲା ।