କନକ ବ୍ୟୁରୋ: ଦିଲ୍ଲୀର ପାଣ୍ଡବନଗର ଅଞ୍ଚଳରେ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଆଉ ଏକ ହତ୍ୟାକାଣ୍ଡ ପୁଲିସର ନିଦ ହଜାଇ ଦେଇଛି । ଏହି ମାମଲାରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପୁଲିସ, ମା ପୁନମ ଦାସ ଓ ତା ପୁଅ ଦୀପକ ଦାସକୁ ଗିରଫ କରିଛି । ପୁଅ ସହ ମିଶି ନିଜ ସ୍ୱାମୀକୁ ହତ୍ୟା କରିଥିଲା ସ୍ତ୍ରୀ । ଆଉ ଏହାପରେ ମୃତଦେହକୁ ଖଣ୍ଡ ଖଣ୍ଡ କାଟି ଫ୍ରିଜରରେ ରଖିଥିଲେ । ପ୍ରତିଦିନ ମାଂସ ଖଣ୍ଡକୁ ରାତିରେ ନିଛାଟିଆ ସ୍ଥାନରେ ଫୋପାଡି ଆସୁଥିଲେ । ଆଉ ଏ ହେଉଛି ସେହି ସମୟର ସିସିଟିଭିରେ କଏଦ ଦୃଶ୍ୟ । ବାପାର ଶରୀର ଖଣ୍ଡକୁ ଏକ ବ୍ୟାଗରେ ଧରି ଫୋପାଡିବା ପାଇଁ ଯାଉଛି ପୁଅ, ପଛରେ ରହିଛି ମା ।
ପାଣ୍ଡବନଗରର ଏହି ବିଭତ୍ସ ହତ୍ୟାକାଣ୍ଡର ସତ ସାମ୍ନାକୁ ଆସିବା ପରେ ଦିଲ୍ଲୀରେ ଚାଞ୍ଚଲ୍ୟ ଖେଳି ଯାଇଛି । ପାଣ୍ଡବନଗର ଅଞ୍ଚଳରେ ମଣିଷ ମୃତଦେହର ଅଂଶ ମିଳିବା ପରେ ଖୋଳତାଡ କରି ପୁଲିସ ମା ଓ ପୁଅକୁ ଗିରଫ କରିଛି । ମୃତକ ହେଉଛନ୍ତି ଅଞ୍ଜନ ଦାସ । ପୁଲିସ ସୂଚନା ଅନୁସାରେ ପୁଅ ଦୀପକଙ୍କ ନବ ବିବାହିତ ପତ୍ନୀ ଓ ପୁନମଙ୍କ ଝିଅଙ୍କ ଉପରେ ଖରାପ ଦୃଷ୍ଟି ରଖିଥିବାରୁ ପ୍ରତିଶୋଧ ପରାୟଣ ହୋଇଥିଲେ ମାଆ ପୁଅ । ପୁନମର ତୃତୀୟ ସ୍ୱାମୀ ହେଉଛି ଅଞ୍ଜନ । ବିବାହ ପରେ ଅଞ୍ଜନଙ୍କ ଘରେ ପୁଅ ବୋହୁ ଓ ଝିଅ ସହ ରହୁଥିଲେ ପୁନମ । ହେଲେ ଏହାରି ଭିତରେ ଅଞ୍ଜନର କୁଦୃଷ୍ଟି ବାବଦରେ ଜାଣିବା ପରେ ରାତିରେ ନିଦ ବଟିକା ଦେଇ ତାକୁ ହତ୍ୟା କରିଥିବା ଜଣାପଡିଛି । ଅଞ୍ଜନ ଦାସକୁ ଗତ ମେ ମାସରେ ହତ୍ୟା କରାଯାଇଥିବା କହିଛି ଦିଲ୍ଲୀ ପୁଲିସ । ହତ୍ୟା କରିବା ପରେ ରକ୍ତର ଛିଟା ଓ ଦୁର୍ଗନ୍ଧ ଦୁରେଇବା ପାଇଁ ଘର କାନ୍ଥକୁ ରଙ୍ଗ ଦେଇଥିଲେ ଅଭିଯୁକ୍ତ ।
Follow Us