କନକ ବ୍ୟୁରୋ: ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶବାସୀ ଚାଲି ଯାଆନ୍ତୁ ପିଠିରେ... ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ ପୂରୁ ତହିଁ ପଡି ମୋର ମାଂସ ହାଡ... ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଏ କଥାକୁ ସତ ପ୍ରମାଣିତ କରିଛନ୍ତି ରାୟଗଡା ଗୁଣପୁରର ଆଉ ଜଣେ ଗୋପବନ୍ଧୁ । ଘରେ ରୋଗୀଣା ସ୍ତ୍ରୀ ପଡିଛି, ଅଭାବ ଅସୁବିଧାରେ ପରିବାର ଚଳୁଛି ଆଉ ତାରି ଭିତରେ ସମାଜ ପାଇଁ ସ୍ୱପ୍ନ ଦେଖୁଛନ୍ତି, ପରିବେଶକୁ ସ୍ୱଚ୍ଛ ରଖିବାକୁ ସଂକଳ୍ପ ନେଇଛନ୍ତି ନିଆରା ମଣିଷ ସାରଥି ଶ୍ରୀରାମ ।
ଦୀର୍ଘ ୧୩ ବର୍ଷ ତଳେ ଅର୍ଥାତ ୨୦୦୫ ମସିହାରେ ବଂଶଧାରା ନଦୀ ତୁଠକୁ ଆସିଥିବା ଜଣେ ବୃଦ୍ଧା ଅନାବନା ଗଛ ଲଟାରେ ଛନ୍ଦି ହୋଇ ତଳେ ପଡିଯାଇଥିଲେ । ଆଉ ତାଙ୍କୁ ସାରଥି ଉଦ୍ଧାର କରିବା ପରେ ବୃଦ୍ଧା ଜଣଙ୍କ ତାଙ୍କୁ ତୁଠ ସଫେଇ କରିବାକୁ ନେହୁରା ହୋଇଥିଲେ । ବାସ୍ ତା ପରଠାରୁ ଦୀର୍ଘ ତେର ବର୍ଷ ହେବ ବଂଶଧାରା ନଦୀର ସଫେଇ ଦାୟିତ୍ୱ ନିଜ ମୁଣ୍ଡକୁ ନେଇଛନ୍ତି ଶ୍ରୀରାମ ।
ସକାଳ ହେବା କ୍ଷଣି ହାତରେ ବାଲଟି ଓ ଛାଡୁ ଧରି ନଦୀ ତୁଠକୁ ସାଇକେଲରେ ବାହାରି ଯାଆନ୍ତି ଶ୍ରୀରାମ । ଆଉ ୪ ଘଣ୍ଟା ଧରି ତମାମ ତୁଠରେ ପଡିଥିବା ମଳ ଓ ଆଳିଆ ଆବର୍ଜନାକୁ ନିଜ ହାତରେ ସଫା କରନ୍ତି । ତେବେ ସେବାକୁ ସବୁକିଛି ଭାବି ଦେଇଥିବା ଏ ‘ସେବା ମଣିଷ’ ସମାଜ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି ।
ତେବେ ସ୍ୱଚ୍ଛତା ନିଶାରେ ପଡିଥିବା ଶ୍ରୀରାମ ସିମେଣ୍ଟ ଅଖା ଓ ପୁରୁଣା ଖବର କାଗଜ ବିକି ନିଜ ପରିବାର ପୋଷନ୍ତି । ଘରେ ତିନି ତିନିଟି ପିଲା ସହ ୧୧ ବର୍ଷ ହେବ ପତ୍ନୀ ପକ୍ଷାଘାତରେ ପୀଡିତ ଥିବାରୁ ଅଳ୍ପ ଆୟରେ ପରିବାର ଚଳାଇବା କଷ୍ଟକର ହେଇ ପଡୁଛି । ପରିବାରର ଆର୍ଥିକ ସ୍ଥିତି ଏତେ ସୁଦୃଢ ନଥାଇ ବି ସେ ଲୋକଙ୍କ ସେବା ସୁବିଧା ପାଇଁ ମାଗିଯାଚି ନଦୀ ଘାଟରେ ୩ଟି ମଣ୍ଡପ କରିଛନ୍ତି ।
ତେବେ ସ୍ୱଳ୍ପ ସମ୍ପତି ଥିବା ଶ୍ରୀରାମଙ୍କ ଏ ସ୍ୱଚ୍ଛତା ନିଶା ପାଇଁ ତାଙ୍କୁ ସବୁଆଡୁ ପ୍ରଶଂସା ମିଳୁଥିବା ବେଳେ ସ୍ଥାନୀୟ ଅଞ୍ଚଳ ପାଇଁ ଶ୍ରୀରାମ ସାଜିଛନ୍ତି ‘ସେବାର ମଣିଷ’ ।