ଧୁର୍ତ ଆକାଶ ପାଠକର ନୂଆ ଫର୍ଦ୍ଦ । ପିଏସ୍ ଡେଭିଡ୍ ପିଟର କହିଲା, ରାଜ୍ୟ ବାହାରୁ ବି କରିଛନ୍ତି ଠକେଇ ।

371

କନକ ବ୍ୟୁରୋ : କ୍ରାଇମବ୍ରାଞ୍ଚ ସାମ୍ନାରେ ବଡ ଖୁଲାସା କରିଛି ଏହି ଚେହେରା । ପୁଣେରେ ଟାଟା ମୋଟର୍ସର ପାସେଂଜର ଡିଭିଜନ୍ର ଏମଡି ଭାବେ ପରିଚୟ ଦେଇ ଯେଉଁ ଅଫିସ୍ ଚଲାଉଥିଲେ ଆକାଶ ପାଠକ ସେଠାରେ ତାଙ୍କ ପିଏ ଭାବେ କାର୍ଯ୍ୟ କରୁଥିଲେ ଡେଭିଡ ପିଟର୍ । ଆକାଶଙ୍କ ଠକାମୀର ପୁରା ଫର୍ଦ୍ଦରୁ ଆହୁରି ତଥ୍ୟ ହାସଲ କରିବାକୁ ଡେଭିଡଙ୍କୁ ନୋଟିସ୍ କରିଥିଲା କ୍ରାଇମବ୍ରାଂଚ । ଆଉ ଶନିବାର କ୍ରାଇମବ୍ରାଂଚ ଅଫିସରେ ପହଁଚିବା ପରେ ମାରାଥନ ଜେରା ଆରମ୍ଭ ହୋଇଥିଲା । ତଦନ୍ତକାରୀ ଅଧିକାରୀଙ୍କ ସାମ୍ନାରେ ଡେଭିଡ୍ କହିଥିଲା ।

ଡେଭିଡ୍ ପିଟର୍ ହେଉଛନ୍ତି ସେହି ଚେହେରା ଯିଏ ଆକାଶଙ୍କ ସହ ଚାଟାର୍ଡ ଫ୍ଲାଇଟରେ ବି ବୁଲିଥିଲେ । ସାଧାରଣ ଲୋକଙ୍କୁ ଚୁନା ଲଗାଇଲା ଭଳି ଆକାଶ ପୁଣେରେ ଯେଉଁ ଅଫିସରୁ କାର୍ଯ କରୁଥିଲେ, ସେଠି ମଧ୍ୟ କର୍ମଚାରୀଙ୍କୁ ମିଛ କହି ଠକି ଚାଲିଥିଲେ । ସେପଟେ ଭିଜିଲାନସ ତଦନ୍ତରୁ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଗିରଫ ପୂର୍ବରୁ ନଭେମ୍ବର ମାସରେ ବାପା ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ମିଳିତ ଭାବେ ଭୁବନେଶ୍ୱରରେ ଟଙ୍କା ଡିପୋଜିଟ କରିଥିଲେ । ଥରେ ୫୦ ଲକ୍ଷ ଓ ଆଉ ଥରେ ୩୫ ଲକ୍ଷ ବ୍ୟାଙ୍କରେ ଡିପୋଜିଟ ହୋଇଛି । ପୁଅ ବାହାଘର ପାଇଁ ୧୦ କୋଟିର ବଜେଟ ଥିଲା ବୋଲି ଅଭୟକାନ୍ତ ପାଠକ ଜେରା ବେଳେ କହିଥିବା ସୂଚନା ମିଳିଛି ।

ଅଭୟ ଯେଉଁ ଦାୟିତ୍ୱରେ ଥିଲେ, ସେଠାରେ କଣ ଦୁର୍ନୀତି କରିଛନ୍ତି ସେ ନେଇ ଖୋଳତାଡ଼ ଚାଲିଛି । ଗତ ୩ ବର୍ଷ ଭିତରେ ବନିକରଣରେ ୬୦୦ କୋଟି ଖର୍ଚ୍ଚ ହୋଇଛି । ସେଠାରେ ହୋଇଥିବା ଘୋଟାଲା ବାବଦରେ ମଧ୍ୟ ଛାନଭିନ ଚାଲିଛି ।
ଏହାରି ଭିତରେ ଭିଜିଲାନସର ଦୁଇଟି ଟିମ୍ ପାଟନାରେ ମଧ୍ୟ ଡେରା ପକାଇଥିବା ସୂଚନା ମିଳିଛି । ଅଭୟକାନ୍ତ ପାଠକଙ୍କ ନିକଟ ସଂପର୍କୀୟ ଏହି ଦୁର୍ନୀତିରେ ଅଂଶୀଦାର ଅଛନ୍ତି କି ନାହିଁ, ଠକାମୀରେ ହାସଲ କରାଯାଇଥିବା ଟଙ୍କା ଆଉ କାହା ଆକାଉଂଟକୁ ଯାଇଛି, ତାର ଅନୁଧ୍ୟାନ ଜାରି ରହିଛି ।