କନକ ବ୍ୟୁରୋ: ଶିକାରୀଙ୍କ କବଜାରେ ଶିମିଳିପାଳ । ମାତ୍ର ଏକ ମାସ ଭିତରେ ପ୍ରଥମେ ଜଣେ ଫରେଷ୍ଟ ଗାର୍ଡ ଆଉ ଏବେ ଜଣେ ଫରେଷ୍ଟର ଶିକାରୀଙ୍କ ଗୁଳିର ଶିକାର ହୋଇଛନ୍ତି । ଶୁକ୍ରବାର ରାତିରେ ପାଟ୍ରୋଲିଂ ବେଳେ ଶିକାରୀଙ୍କ ଗୁଳି ମାଡର ଶିକାର ହୋଇ ପ୍ରାଣ ହରାଇଛନ୍ତି ଫରେଷ୍ଟର । ତେବେ ବାରମ୍ବାର ଏଭଳି ଘଟଣା ଘଟିବାକୁ ନେଇ ଉଦବେଗ ପ୍ରକାଶ କରିଛି ବନ ସେବା ସଂଘ । ସେପଟେ ଶିମିଳିପାଳରେ ଏତେ ବଡ ଘଟଣା ଘଟିଥିଲେ ବି ଅତି ହାଲୁକା ଢ଼ଙ୍ଗରେ ଉତ୍ତର ଦେଇଛନ୍ତି ମନ୍ତ୍ରୀ ।

  • ମେ’ ୨୨: ବିମଳକୁମାର ଜେନା, ଫରେଷ୍ଟଗାର୍ଡ
  • ଜୁନ୍ ୧୬: ମାଟି ହାଁସଦା, ଫରେଷ୍ଟର
Advertisment

ଶିମିଳିପାଳରେ ଶିକାରୀ କେମିତି ସକ୍ରିୟ ଅଛନ୍ତି, ଏ ହେଉଛି ତାର ପ୍ରମାଣ । ମାତ୍ର ଗୋଟିଏ ମାସ ଭିତରେ ଶିକାରୀଙ୍କ ଗୁଳି ମାଡରେ ଗଲାଣି ୨ ବନ ଅଧିକାରୀଙ୍କ ଜୀବନ । ଗତ ମାସ ୨୨ତାରିଖରେ ଶିକାରୀଙ୍କ ଗୁଳିରେ ଫରେଷ୍ଟଗାର୍ଡ ବିମଳ କୁମାର ଜେନାଙ୍କ ଜୀବନ ଯାଇଥିବାବେଳେ, ଶୁକ୍ରବାର ରାତିରେ ଯାଇଛି ଫରେଷ୍ଟର ମାଟି ହାଁସଦାଙ୍କ ଜୀବନ ।

ରାତି ପ୍ରାୟ ୧୨ଟା, ସ୍ଥାନ- ଶିମିଳିପାଳ । ପେଟ୍ରୋଲିଂରେ ବାହାରିଥିଲେ ସୁରକ୍ଷା ଦାୟିତ୍ୱରେ ଥିବା ଫରେଷ୍ଟଗାର୍ଡର୍ । ସାଥିରେ ଥିଲେ ଫରେଷ୍ଟର ମାଟି ହାଁସଦା । କିନ୍ତୁ ଗାମୁଛାଝରଣ ନିକଟରେ ପହଁଚିବା ପରେ ପେଟ୍ରୋଲିଂ ଟିମ୍ ଉପରକୁ ଅଚାନକ ଗୁଳି ମାଡ କରିଥିଲେ ଲୁଚି ରହିଥିବା ଶିକାରୀ । ବନ କର୍ମଚାରୀ ମାନେ ବି ପାଲଟା ଗୁଳିମାଡ କରିଥିଲେ । ଉଭୟ ପକ୍ଷ ମଧ୍ୟରେ କିଛି ସମୟ ଗୁଳି ବିନିମୟ ଚାଲିଥିଲା । ଆଉ ଏହି ସମୟରେ ଫରେଷ୍ଟର ମାଟି ହାଁସଦାଙ୍କ ଦେହରେ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । କିନ୍ତୁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା ।

ତେବେ ବାରମ୍ବାର ଏଭଳି ଘଟଣା ଘଟିବାକୁ ନେଇ ଉଦବେଗ ପ୍ରକାଶ କରିଛି ବନ ସେବା ସଂଘ । ଶିକାରୀଙ୍କ ପାଖରେ ଅତ୍ୟାଧୁନିକ ମାରଣାସ୍ତ୍ର ଥିବାବେଳେ ବନ କର୍ମଚାରୀମାନେ କେମିତି ବାଡି ଖଣ୍ଡେ ଧରି ଜଙ୍ଗଲକୁ ସୁରକ୍ଷା ଦେବେ ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଶିମିଳିପାରେ ଶିକାରୀ ସକ୍ରିୟ ଥିବା କଥାକୁ ସ୍ୱୀକାର କରିଛନ୍ତି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ।

ଅନ୍ୟପଟେ ଶିମିଳିପାଳରେ ଏତେ ବଡ ଘଟଣା ଘଟିଥିଲେ ବି ଏନେଇ ଅତି ହାଲୁକା ଢ଼ଙ୍ଗରେ ଉତର ଦେଇଛନ୍ତି ମନ୍ତ୍ରୀ । ସେପଟେ, ଶିମିିଳିପାଳ ଅଭୟାରଣ୍ୟରେ ବନ ଅଧିକାରୀଙ୍କ ମୃତ୍ୟୁକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ୍ କରି ଦୁଃଖପ୍ରକାଶ କରିବା ସହ ଉଦବେଗ ପ୍ରକାଶ କରିଛନ୍ତି । ଗୋଟିଏ ମାସ ଭିତରେ ବ୍ୟାଘ୍ର ପ୍ରକଳ୍ପରେ ଦୁଇ ଜଣ ବନ କର୍ମଚାରୀଙ୍କ ହତ୍ୟାକୁ ନେଇ ଓଡିଶାରେ, ଜଙ୍ଗଲ ଓ ଜଙ୍ଗଲକୁ ସୁରକ୍ଷା ଦେଉଥିବା ବ୍ୟକ୍ତି ନିଜେ ଅସୁରକ୍ଷିତ ବୋଲି କହିଛନ୍ତି ଧର୍ମେନ୍ଦ୍ର ।ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଟ୍ୟାଗ କରି ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି । ପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ରାଜ୍ୟ ବନ ବିଭାଗର ତଦନ୍ତ କରୁଥିବା ଟିମକୁ ସହାୟତା କରିବା ପାଇଁ ୱାଇଲ୍ଡ ଲାଇଫ କ୍ରାଇମ କଂଟ୍ରୋଲ ବ୍ୟୁରୋର ଏକ ଟିମକୁ ମଧ୍ୟ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଶିମିଳିପାଳରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି କାହିଁକି ପ୍ରଶାସନ ରୋକିବାରେ ସଫଳ ହୋଇପାରୁନି? କେବେ ଶିକାରୀ ମୁକ୍ତ ହେବ ଶିମିଳିପାଳ?