ବଡ଼ମ୍ବା ବନାଞ୍ଚଳରୁ ଆଉ ଏକ ହାତୀର କଙ୍କାଳ ଉଦ୍ଧାର: ମରଣ ଯନ୍ତା ପାଲଟିଛି ଓଡ଼ିଶାର ଜଙ୍ଗଲ

122

କନକ ବ୍ୟୁରୋ: ବଡମ୍ବା ଅଂଚଳରେ ମାଟିତଳୁ ପୁଣି ମିଳିଛି ଦନ୍ତାହାତୀ କଂକାଳ । ଗତ କିଛି ଦିନ ଭିତରେ ଆଠଗଡ ବନଖଣ୍ଡର କେବଳ ନରସିଂହପୁର ଓ ବଡମ୍ବାରେ ଏସଟିଏଫ ପକ୍ଷରୁ ୪ଟି ହାତୀର ଗଳିତ ମୃତ ଦେହକୁ ଖୋଳି ଉଦ୍ଧାର କରାଗଲାଣି । ଯାହା ହାତୀସୁରକ୍ଷା ନେଇ ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି ।

ଗୁଳିମାଡରେ ଆହତ ଦନ୍ତାହାତୀ ୧୫ ଦିନ ଜଙ୍ଗଲରେ ବୁଲିବା ପରେ ଶେଷରେ ଅବସ ହୋଇ ପଡିଗଲା ଏକ ନାଳ ନିକଟରେ । ବନବିଭାଗ ଓ ଡାକ୍ତରୀ ଟିମର ଉଦ୍ୟମ ସତ୍ୱେ ୧୪ ତାରିଖରେ ଆଖି ବୁଜିଲା ୫ଟି ଗୁଳି ବାଜିଥିବା ୧୦ ବର୍ଷର ଏହି ପୁରୁଷ ହାତୀ । ମାଟିତଳୁ ହାତୀର ମୃତଦେହ ମିଳିବା ଓ ଦନ୍ତାହାତୀକୁ ଗୁଳି ଘଟଣା ଏବେ ବନ କର୍ମଚାରୀଙ୍କୁ ସନ୍ଦେହ ଘେରକୁ ଆଣିଛି ।

ମାଟିତଳୁ ହାତୀ କଙ୍କାଳ ମିଳିବା ଘଟଣାରେ କ୍ରାଇମବ୍ରାଂଚ ଏସଟିଏଫ ଏପର୍ଯ୍ୟନ୍ତ ୬ ଜଣ ବନ କର୍ମଚାରଙ୍କୁ ଗିରଫ କରିଥିବା ବେଳ ଜଣେ ଫେରାର ହୋଇଯାଇଛନ୍ତି । ତେବେ ପ୍ରଶ୍ନ ଉଠୁଛି କେବଳ ତଳତଳିଆ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ବଡ ଅଧିକାରୀଙ୍କୁ ଖସାଇବାକୁ ଉଦ୍ୟମ ହେଉନାହିଁ ତ ?

ତଥ୍ୟ ଅନୁସାରେ, ଓଡ଼ିଶାରେ ଗତ ୧୨ ବର୍ଷ ଭିତରେ ୯୪୭ ହାତୀଙ୍କର ମୃତ୍ୟୁ ହୋଇଛି । ସେଥିରୁ ସ୍ୱାଭାବିକ ଭାବେ ୪୨୬ ହାତୀ ମରିଥିବା ଜଣାପଡିଛି । ୨୦୨ ହାତୀଙ୍କର ମୃତ୍ୟୁର କାରଣ ଜଣାପଡିନାହିଁ । ୧୩୩ ହାତୀଙ୍କୁ ଶିକାର କିମ୍ବା ବିଷ ଦେଇ ମରାଯାଇଥିବା ମେଡିକାଲ ରିପୋର୍ଟରୁ ଜଣାପଡିଛି । ୧୪୪ଟି ବିଦ୍ୟୁତ ସଂସ୍ପର୍ଶରେ ଆସିଥିବାବେଳେ ୩୬ଟି ଟ୍ରେନ ଏବଂ ୬ଟି ଗାଡି ଧକ୍କାରେ ପ୍ରାଣ ହରାଇଛନ୍ତି ।ଅନେକ ହାତୀଙ୍କର ଗଳିତ ଶବ ମିଳିଛି, ଯାହା ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଥିବା ବୋଲି ଜଣାପଡିଛି । କିନ୍ତୁ ବନବିଭାଗ କେବଳତଦନ୍ତ କରାଯିବ ବୋଲି କହି ନିଜ ଦାୟିତ୍ୱ ସାରିଦେଉଥିବା ଦେଖିବାକୁ ମିଳୁଛି ।

ଲଗାତର ଭାବରେ ରାଜ୍ୟରେ ହାତୀର ମୃତ୍ୟୁ ବଢୁଥିବାକୁ ନେଇ ଚିନ୍ତା ପ୍ରକଟ କରିଛି କେନ୍ଦ୍ର । ଆଠଗଡରେ ଗୁଳିବିଧ ହାତୀମୃତ୍ୟୁ ପ୍ରସଙ୍ଗରେ ଚିନ୍ତା ପ୍ରକଟ କରି କାର୍ଯ୍ୟାନୁଷ୍ଠାନର ରିପୋର୍ଟ ମାଗିଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ଏବେ ରାଜ୍ୟ ବନବିଭାଗ କଣ କାରଣ ଦର୍ଶାଉଛି ତାହା ଉପରେ ନଜର –