ସାରୁଅ ଜମି ଦୁର୍ନୀତି ମାମଲାରେ ଓଡ଼ିଶା ଇନଫ୍ରାଟେକର ଆଉ ଜଣେ ନିର୍ଦ୍ଦେଶକ ଗିରଫ । ଶିବ ପ୍ରାସାଦ ଶ୍ରୀଚନ୍ଦନଙ୍କୁ ଗିରଫ କଲା କ୍ରାଇମବ୍ରାଂଚର ଅର୍ଥନୈତିକ ଶାଖା । ସେପଟେ ରିମାଣ୍ଡରେ ନେଇ ଓଟିଭିର ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ପଚରାଉଚରା

122

କନକ ବ୍ୟୁରୋ : ଖୋର୍ଦ୍ଧା ସାରୁଅ ଜମି ଦୁର୍ନତି ମାମଲାରେ ଗିରଫ ହୋଇଛନ୍ତି ଆଉ ଜଣେ । ଶିବ ପ୍ରାସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ ଇଓଡବ୍ଲୁ । ଓଡିଶା ଇନଫ୍ରାଟେକ ପ୍ରାଇଭେଟ୍ ଲିମିଟେଡ୍ର ପାୱାର ଅଫ ଆଟର୍ଣ୍ଣି ରହିଛି ଶିବ ପ୍ରାସାଦ ଶ୍ରୀଚନ୍ଦନଙ୍କ ହାତରେ । ସେପଟେ ଗିରଫ ହୋଇଥିବା କମ୍ପାନୀର ନିର୍ଦ୍ଦେଶକ ମନୋରଞ୍ଜନ ଷଡଙ୍ଗୀଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଂଚ ।

ସାରୁଅରେ ଜମି କିଣିବା ଯେମିତି ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ୍ ମିଲିଟେଡ୍ ଏବଂ ଓଟିଭି ପାଇଁ ଏକ ଦୁଃସ୍ୱପ୍ନ ପାଲଟି ଯାଇଛି । ଜମି କିଣାକୁ ନେଇ ଆସିଥିବା ଦୁର୍ନୀତି ମାମଲା ଏବଂ କ୍ରାଇମବ୍ରାଂଚ ତନାଘନା ଭିତରେ କଂପାନୀର ଜଣେ ପରେ ଜଣେ ବରିଷ୍ଠ ଅଧିକାରୀ କ୍ରାଇବ୍ରାଂଚ୍ର ଜାଲରେ ପଡ଼ିଛନ୍ତି । ଖୋର୍ଦ୍ଧା ସାରୁଅ ଜମି ଦୁର୍ନତି ମାମଲାରେ ଶିବ ପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରିଛି କ୍ରାଇମ୍ ବ୍ରାଂଚ । ଶିବ ପ୍ରସାଦଙ୍କ ହାତରେ ଥିଲା ଓଡିଶା ଇନଫ୍ରାଟେକ ପାୱାର ଅଫ ଆଟର୍ଣ୍ଣି ।

ଶିବପ୍ରସାଦଙ୍କୁ ଇକୋନମିଟ୍ ଅଫେନ୍ସ୍ ଉଇଙ୍ଗ୍ ଜେରା କରୁଥିବା ବେଳେ ଏହା ପୂର୍ବରୁ ଗିରଫ ହୋଇଥିବା ଓଟିଭର ସିଏଫଓ ତଥା ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ମନୋରଞ୍ଜନ ଷଡଙ୍ଗୀଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମ୍ବ୍ରାଂଚ । ମନୋରଂଜନ ଷଡଙ୍ଗୀଙ୍କ ବିରୋଧରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଏବଂ ଏସିଏସଟି ଆଇନ୍ ଭଳି ଏକାଧିକ ଦଫାରେ ମାମଲା ରୁଜୁ କରାଯାଇଛି ।

୨୦୧୦ ମସିହାରେ ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶିକା ପଦରୁ ଓଟିଭି ଏମଡି ଜାଗିମଙ୍ଗତ ପଣ୍ଡା ଇସ୍ତଫା ଦେବା ପରେ ମନୋରଞ୍ଜନ ଷଡଙ୍ଗୀ ଓ ବିଭୁ ରଥଙ୍କୁ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଥିଲା । ଜୁନ ୨୦୧୦ ଠାରୁ ସଂପୃକ୍ତ କମ୍ପାନୀ ଖୋର୍ଦ୍ଧାର ସାରୁଅରେ ଜମି କିଣିବା ପ୍ରକ୍ରିୟା ଆରମ୍ଭ କରିଥିଲା । ୨୦୧୦ରୁ ୨୦୧୩ ମଧ୍ୟରେ ଏହି ଜମିକୁ ଶାଗମାଛ ଦରରେ କିଣାଯାଇଥିଲା । ଆଉ କମ୍ପାନୀର ଜଣେ ନିର୍ଦ୍ଦେଶକଙ୍କଠାରେ ଜଣେ ଡ୍ରାଇଭର ଥିବା ରବି ସେଠୀ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଏହାକୁ କିଣାଯାଇଥିଲା ।

କିନ୍ତୁ ଜମିର ମାଲିକାନା ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ ନାଁରେ କରାଯାଇଥିଲା । ରବିଙ୍କ ବୟାନ ଅନୁସାରେ, ତାଙ୍କ ଅଜାଣତରେ ବିଭିନ୍ନ କାଗଜପତ୍ରରେ ଦସ୍ତଖତ ନିଆଯାଇଥିଲା । ସେଲଡିଡରେ ଜମିର ମୂଲ୍ୟ ୬୫ ଲକ୍ଷ ଦର୍ଶାଯାଇଥିବାବେଳେ ତାଙ୍କୁ ୨ରୁ ୩ ଲକ୍ଷ ଦିଆଯିବା ନେଇ ପ୍ରତିଶ୍ରୃତି ଦିଆଯାଇଥିଲା ।

କିନ୍ତୁ ତାଙ୍କୁ ଗୋଟିଏ ଟଙ୍କା ବି ଦିଆଯାଇନଥିବା ଅଭିଯୋଗ ଆଣିଛନ୍ତି ରବି ସେଠୀ । ଦସ୍ତଖତ ନ କଲେ ଚାକିରୀରୁ ବହିଷ୍କାର କରିବା ପାଇଁ ଧମକ ଦିଆଯାଇଥିଲା ଓ ଭୟଭୀତ ବି କରାଯାଇଥିଲା । ତେଣୁ ଚାକିରୀ ବହିଷ୍କାର ଭୟରେ ସେ ଦସ୍ତଖତ କରିଥିବା ରବି ତାଙ୍କ ବୟାନରେ କହିଛନ୍ତି । ଏହା ସିଧାସଳଖ ଠକେଇ ଓ ଦୁର୍ନୀତି ବୋଲି ତଦନ୍ତ ବେଳେ କ୍ରାଇମବ୍ରାଂଚ ଜାଣିବାକୁ ପାଇଛି । ଏ ନେଇ ରବି ସେଠୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।