ଖୁବଶୀଘ୍ର ଭାରତକୁ ଆସିବ ଆଉଏକ କରୋନା ଟିକା । ଜାଇକୋଭ-ଡିର ଜରୁରୀକଳୀନ ବ୍ୟବହାର ପାଇଁ ଚଳିତ ମାସରେ ଅନୁମତି ମାଗିବ ଜାଇଡସ କାଡିଲା

189

କନକ ବ୍ୟୁରୋ : ଭାରତକୁ ଖୁବଶୀଘ୍ର ଆସିପାରେ ଆଉ ଏକ କରୋନା ଟିକା । ଜାଇଡ୍ସ କାଡିଲା ଦ୍ୱାରା ପ୍ରସ୍ତୁତ ଟିକା ଜାଇକୋଭ-ଡିର ଜରୁରିକାଳୀନ ପ୍ରୟୋଗ ପାଇଁ ଅନୁମତି ମାଗିବ କମ୍ପାନି । ଚଳିତମାସ କମ୍ପାନି ଭାରତ ସରକାରଙ୍କ ଡ୍ରଗ୍ସ କଂଟ୍ରୋଲରଙ୍କୁ ଏଥିପାଇଁ ଅନୁମତି ମାଗିବ ବୋଲି କହିଛି । ଦେଶରେ କରୋନାର ସଂକ୍ରମଣକୁ ଦେଖି ଏହି ମାସରେ ହିଁ କମ୍ପାନିକୁ ଅନୁମତି ମିଳିଯିବ ବୋଲି ଅନୁମାନ କରାଯାଉଛି ।
କମ୍ପାନି ତାର ଗୁଜରାଟ ଅହମ୍ମଦାବାଦ ସ୍ଥିତ କାରଖାନାରେ ମାସକୁ କୋଟିଏ ଡୋଜ୍ ଟିକା ପ୍ରସ୍ତୁତ କରୁଛି । ଏବଂ ଆଗକୁ ଏହା ଅନ୍ୟ କାରଖାନାରେ ୩ରୁ ୪ କୋଟି ଡୋଜ୍ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି । ଏଥିପାଇଁ ଆବଶ୍ୟକ ଅନୁମତି ମିଳିଗଲେ ଦେଶରେ ବର୍ତମାନ ଦେଖା ଦେଇଥିବା ଟିକା ଅଭାବ ଅନେକାଂଶେ କମିଯିବ ବୋଲି କମ୍ପାନି କହିଛି । ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ, ଭାରତ ବାୟୋଟେକର କୋଭାକ୍ସିନ ଓ ରୁଷିଆ ଟିକା ସ୍ପୁଟନିକ-ଭି ପରେ ଜାଇକୋଭ-ଡି ଚତୁର୍ଥ ଟିକା ଭାବେ ଦେଶରେ ଚାଲିଥିବା ମେଗା ଟିକାକରଣରେ ସାମଲ ହେବ । ୨ରୁ ୮ ଡିଗ୍ରୀ ସେଲସିଅସ ତାପମାତ୍ରାରେ ଏହା ସୁରକ୍ଷିତ ରହିପାରିବ । ଏପିରିକି ୨୫ ଡିଗ୍ରୀ ପରି ସାଧାରଣ ଘରୋଇ ତାପମାତ୍ରାରେ ମଧ୍ୟ ଏହା ନିରାପଦ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି ।