ଅନୁଗୁଳରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା, ପଜିଟିଭ ଚିହ୍ନଟ ପରେ ବେକରେ ରଶି ଦେଇ ଜୀବନ ହାରିଲେ ଛେଣ୍ଡିପଦାର ଯୁବକ ।

235

କନକ ବ୍ୟୁରୋ: ପୁଣି ଭୂତାଣୁ ଭୟରେ ଗଲା ଜୀବନ । ଆତ୍ମହତ୍ୟା କଲେ ଆକ୍ରାନ୍ତ । କରୋନା ଭୂତାଣୁ ଦ୍ୱାରା କବଳିତ ହେବା ପରେ ମାନସିକ ସ୍ଥିତି ହରାଇ ଆତ୍ମହତ୍ୟା କରିଛନ୍ତି । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୁଇନାଳି ଗାଁରେ ଜଗବନ୍ଧୁ ବାଘ କରୋନା ପଜିଟିଭ ବୋଲି ଜଣାପଡିବା ପରେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଜଗବନ୍ଧୁ ୫ ଦିନ ତଳେ କରୋନା ପରୀକ୍ଷା କରାଇଥିଲେ । କରୋନା ସଂକ୍ରମିତ ବୋଲି ଚିହ୍ନଟ ହେବା ପରେ ଡାକ୍ତରଖାନାକୁ ନେବା ପାଇଁ ଆମ୍ବୁଲାନ୍ସ ଆସିଥିଲା । ହେଲେ ସେ ଯାଇନଥିଲେ । ଘରେ ରହୁଥିବା ବେଳେ ପାରିବାରିକ ବୋଝ ଓ ସାମାଜିକ କଟକଣା ଯୋଗୁଁ ମାନସିକ ଭାରସ୍ୟାମ ହରାଇ ଆତ୍ମହତ୍ୟା କରିଥିବା କୁହାଯାଉଛି ।

ତେବେ ସୂଚନା ମୁତାବକ, ନିକଟସ୍ଥ କାଠପାଳ ଗାଁର ଅଣାଜୋର ନଳ ନିକଟରେ ଏକ ଆମ୍ବ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଜଗବନ୍ଧୁ । ପୁଲିସ ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ପୂର୍ବରୁ ମଧ୍ୟ ଏହି ଛେଣ୍ଡିପଦା ରାଇଝରଣ ଗାଁରେ କରୋନା ଆକ୍ରାନ୍ତ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ । ତେବେ କରୋନାକୁ ନେଇ ସତର୍କ ଓ ସଚେତନ ରହିବା ପାଇଁ ସରକାର କହୁଥିବା ବେଳେ ଆକ୍ରାନ୍ତ ମାନସିକ ଭାରସ୍ୟାମ ହରାଇ ଏଭଳି ଚରମ ନିଷ୍ପତି ନେଉଛନ୍ତି ।