ଫେସବୁକ ସୁନ୍ଦରୀ ନାଁରେ ଆସିଲା ଆଉ ଏକ ଅଭିଯୋଗ । ଚିକ୍କଣ କଥା କହି ଯୁବକଙ୍କଠୁ ଚୂନା ଲଗାଇଥିଲେ ୩୮ ହଜାର ଟଙ୍କା

291

କନକ ବ୍ୟୁରୋ: ଫେସବୁକରେ ବନ୍ଧୁତା କରି ଟଙ୍କା ଲୁଟୁଥିବା ଯୁବତୀଙ୍କ ନାଁରେ ଆସିଲା ଆଉ ଏକ ଅଭିଯୋଗ । ଚିକ୍କଣ କଥା କହି ଯୁବକଙ୍କଠୁ ଚୂନା ଲଗାଇଥିଲେ ୩୮ ହଜାର ଟଙ୍କା । ଏପରିକି ବାହାରେ ପ୍ରକାଶ କଲେ ଜୀବନରେ ମାରିଦେବାକୁ ଦେଉଥିଲେ ଧମକ । ଯୁବତୀ ଗିରଫ ହେବା ପରେ ପୂରା କଥା ସାମ୍ନାକୁ ଆସିଛି, ଆଉ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବାରେ ଲାଗିଛି ।

କାହାକୁ ଡାକ୍ତର କହି ତ ଆଉ କାହାକୁ ବ୍ୟୁଟିସିଆନର ପରିଚୟ ଦେଉଥିଲେ । ପୁଣି କାହାକୁ ଶିକ୍ଷୟତ୍ରୀ କହି ସମ୍ପର୍କ ବଢ଼ାଉଥିଲେ । ଏମିତି ସୋସିଆଲ ମିଡିଆରେ ରୂପ ଓ ପରିଚୟ ବଦଳାଇ ଲକ୍ଷ ଲକ୍ଷ ଟଙ୍କା, ଠକୁଥିବା ର୍ୟାକେଟର ମାଷ୍ଟରମାଇଣ୍ଡ ଜଣେ ମହିଳାଙ୍କୁ ସହିଦନଗର ଥାନା ପୁଲିସ, ଗିରଫ କରିଛି । ଆପଣଙ୍କ ଟିଭି ସ୍କ୍ରିନରେ ଥିବା ଏହି ମହିଳା ଜଣଙ୍କ ହେଉଛନ୍ତି, ସେହି ମହିଳା । ସେ ବାଲୁଗାଁ ନାଚୁଣୀ ଅଂଚଳର ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡା । ପ୍ରିୟଙ୍କାଙ୍କ ସହ ଏହି ଠକେଇ ର୍ୟାକେଟରେ ଆହୁରି ଅନେକ ଯୁବତୀ ରହିଥିବା ଅନୁମାନ କରାଯାଉଛି ।

ପୁଲିସ ସୂଚନା ଅନୁସାରେ ପ୍ରିୟଙ୍କା କିଛିମାସ ହେବ ଫେସବୁକ୍ ଓ ହ୍ୱାଟଆପରେ ଏକାଧିକ ଆକାଉଂଟ ଖୋଲି, ଡିପିରେ ସୁନ୍ଦରୀ ଯୁବତୀଙ୍କ ଫଟୋ ରଖୁଥିଲେ । ଆଉ ଅଜଣା ଲୋକଙ୍କୁ ମେସେଜ ପଠାଇ ସମ୍ପର୍କ ଯୋଡୁଥିଲେ । ଫଟୋରେ ଯୁବତୀମାନଙ୍କ ବେଶଭୂଷା ଓ ପେସାକୁ ସୁହାଇଲା ଭଳି ଭଳି ଭିନ୍ନ ଭିନ୍ନ ବୃତିରେ ଥିବା ଦର୍ଶାଇ ଲୋକଙ୍କ ସହ ସମ୍ପର୍କ ବଢ଼ାଉଥିଲେ । ଆଉ ତାପରେ ସୁଯୋଗ ଦେଖି ଲୁଟୁଥିଲେ ।