କନକ ବ୍ୟୁରୋ: ବରଗଡ଼ରେ ପୁଣି ସାମ୍ନାକୁ ଆସିଲା ଋଣ ଜାଲିଆତି ମାମଲା । ୫୪୨ ଜଣଙ୍କ ନାଁରେ ନକଲି ପଟ୍ଟା ଦାଖଲ କରି କିଷାନ କ୍ରେଡିଟ୍ କାର୍ଡରୁ ଉଠାଯାଇଛି ଟଙ୍କା । ଅନ୍ୟମାନଙ୍କ ଜମିକୁ ବନ୍ଧା ପକାଇ ୫ କୋଟି ଟଙ୍କାର ଋଣ ନିଆଯାଇଛି । ଏପରିକି ତହସିଲଦାରଙ୍କ ଜାଲ୍ ଦସ୍ତଖତ ମଧ୍ୟ ହୋଇଛି । ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେବା ସହ ୨୦୨୦ ମସିହା ଅଗଷ୍ଟ ୨୭ ତାରିଖରେ ଟାଉନ ଥାନାରେ ଏତଲା ମଧ୍ୟ ଦେଇଥିଲେ । ଏହି ଘଟଣା ଏବେ ସାମ୍ନାକୁ ଆସିଥିବା ବେଳେ ପ୍ରକୃତ ଜମି ମାଲିକଙ୍କ ନାଁରେ ବ୍ୟାଙ୍କରେ ଏବେ ବି ଋଣ ଗଡୁଛି । ଘଟଣା ପଛରେ କିଛି ବ୍ୟାଙ୍କ କର୍ମଚାରୀ ଓ ତହସିଲ କର୍ମଚାରୀଙ୍କର ହାତ ଥିବା ସନ୍ଦେହ କରାଯାଉଛି । ସବୁଠୁ ବଡ଼ କଥା ହେଲା ଏତେ ବର୍ଷ ହେଲା ଥାନାରେ ମାମଲା ଥିଲେ ବି ଏଯାଏଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ । ଏନେଇ ଅର୍ଥନୈତିକ ଶାଖାରେ ଅଭିଯୋଗ କରିବାକୁ ପୋଲିସ କହୁଥିବା ସୂଚନା ଦେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ ।