କାବୁଲ ଏୟାରପୋର୍ଟ ନିକଟରେ ପୁଣି ବିସ୍ଫୋରଣ । ଆତଙ୍କବାଦୀଙ୍କ ଆକ୍ରମଣରେ ପୁଣି ଥରିଲା କାବୁଲ । ସତ ହେଲା ଆମେରିକାରର ଆଶଙ୍କା ।

178

କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଯାହା ଆଶଙ୍କା କରୁଥିଲେ ପୁଣି ତାହା ହିଁ ସତ ହୋଇଛି । ଆଫଗାନିସ୍ତାନର ରାଜଧାନୀ କାବୁଲସ୍ଥିତ ହମିଦ୍ କାରଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆକ୍ରମଣରେ ଥରି ଉଠିଛି କାବୁଲ ସହର । ଅନ୍ତର୍ଜାତୀୟ ଗଣମାଧ୍ୟମର ଖବର ଅନୁସାରେ କାବୁଲ ବିମାନବନ୍ଦର ନିକଟରେ ଥିବା ଖାଜା ବଦ୍ଧରା ଅଞ୍ଚଳରେ ରକେଟ ମାଡ କରିଛନ୍ତି ଆକ୍ରମଣକାରୀ ।

ତେବେ ରକେଟଟି ଏକ ଜନବସତି ଉପରେ ପଡିଛି । ରକେଟ ମାଡ ହେବା ପରେ ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁ ମୟ ହୋଇଯାଇଥିଲା । କଳା ଧୂଆଁରେ ଭର୍ତ୍ତିର୍ ହୋଇଯାଇଥିଲା କାବୁଲ ଆକାଶ । ଜନବସତି ଉପରେ ଆକ୍ରମଣ ହୋଇଥିବାରୁ ଆତଙ୍କିତ ହୋଇପଡିଛନ୍ତି ଲୋକେ । ତେବେ ଆକ୍ରମଣ ପଛରେ କାହାର ହାତ ରହିଛି ତାହା ସ୍ପଷ୍ଟ ହୋଇନାହିଁ ।

ଏହା ପୂର୍ବରୁ କାବୁଲ ବିମାନବନ୍ଦର ନିକଟରେ ଗୁରୁବାର ସିରିଜ୍ ବିସ୍ଫୋରଣ ହୋଇଥିଲା । ଏଥିରେ ୧୬୯ ଆଫଗାନ ନାଗରିକଙ୍କ ସମେତ ୧୩ ଆମେରିକୀୟ ସୈନ୍ୟଙ୍କର ଜୀବନ ଯାଇଥିଲା । ବହୁ ସଂଖ୍ୟାରେ ଲୋକ ଆହତ ହୋଇଥିଲେ । ଏହି ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ-ଖୋରାସନ ନିଜକୁ ଦାୟୀ କରିଥିଲା । ଆଇଏସଆଇଏସ-ଖୋରାସାନର ଜିହାଦି ନିଜ ଦେହରେ ବମ୍ ବାନ୍ଧି ଆତ୍ମଘାତି ବିସ୍ଫୋରଣ ଘଟାଇଥିଲା । ଏହାର ଦିନକ ପରେ ଆମେରିକା ଆଇଏସଆଇଏସ ଆତଙ୍କବାଦୀ ଆଡା ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା । ଆମେରିକାର ଆକ୍ରମଣରେ ଆଇଏସଆଇଏସ ସଂଗଠନର କିଛି ଆତଙ୍କବାଦୀ ନିହତ ହୋଇଥିବା ନେଇ ଆମେରିକା ପକ୍ଷରୁ ସୂଚନା ଦିଆଯାଇଥିଲା ।

ଏପରିକି ଯେଉଁଠି ଲୁଚିଲେ ବି ଆଇଏସ ସଂଗଠନର ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବ ବୋଲି ରାଷ୍ଟ୍ରପତି ବାଇଡେନ୍ ଚେତାବନୀ ଦେଇଥିଲେ କିନ୍ତୁ ଆମେରିକାର ପାଲଟା ଆକ୍ରମଣ ପରେ ଆତଙ୍କବାଦୀମାନେ ୨୪ରୁ ୩୬ ଘଣ୍ଟା ମଧ୍ୟରେ ପୁଣି ଆକ୍ରମଣ କରି ପାରନ୍ତି ବୋଲି ଆଶଙ୍କା ପ୍ରକାଶ କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆମେରିକା ସୈନ୍ୟ ଓ ସାଧାରଣ ଲୋକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ସେ ସତର୍କ କରିଥିଲେ ।