କରୋନା ପାଇଁ କାମ ବନ୍ଦ, ଘରକୁ ଫେରୁଛନ୍ତି ଦାଦନ: ଚେନ୍ନାଇରୁ ଆର୍ଯ୍ୟପଲ୍ଲୀ ଆସୁଛି ଆଉ ଏକ ଡଙ୍ଗା । ତାଲାବନ୍ଦ ଯୋଗୁଁ କାମ ନାହିଁ କି ଖାଇବାକୁ ବି ନାହିଁ । ସମୁଦ୍ରର ଅକାତ କାତ ପାଣିରେ ଘରକୁ ଫେରୁଛନ୍ତି ଶ୍ରମିକ

1,252

କନକ ବ୍ୟୁରୋ: କରୋନା ମୁକାବିଲା କରିବା ପାଇଁ ସାରା ଦେଶରେ ଜାରି ରହିଛି ଲକଡାଉନ । ଏଭଳି ସ୍ଥିତିରେ ଯେଉଁ ବ୍ୟକ୍ତି ଯେଉଁଠି ଅଛନ୍ତି ସେ ସେଇଠି ରହିବା ଲାଗି କେନ୍ଦ୍ର ଓ ପ୍ରତ୍ୟେକ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ତେବେ ଓଡିଶା ରାଜ୍ୟରୁ ମଧ୍ୟ ଲକ୍ଷାଧିକ ବ୍ୟକ୍ତି ଅନ୍ୟ ରାଜ୍ୟରେ ଫସି ରହିଛନ୍ତି । ନିଜ ଗାଁରେ ପହଞ୍ଚିବାକୁ ଅନେକ ପ୍ରୟାସ ଜାରି ରଖିଛନ୍ତି । ଏବେ କିଛି ଲୋକ ଜଳ ପଥ ଦ୍ୱାରା ବିଭିନ୍ନ ରାଜ୍ୟରୁ ବିପଦ ସଙ୍କୁଳ ଅବସ୍ଥାରେ ବୋଟ୍ ସାହାଯ୍ୟରେ ଫେରୁଥିବା ଦେଖିବାକୁ ମିଳିଛି ।

ଗତ ଦୁଇ ଦିନ ତଳେ ଚେନ୍ନାଇରୁ ୩୮ ଜଣ ଶ୍ରମିକ ଏକ ବୋଟ ସାହାଯ୍ୟରେ ସୋନପୁରରେ ପହଞ୍ଚିଥିଲେ । ଏମାନେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଏମାନଙ୍କୁ କ୍ୱାରାଣ୍ଚାଇନରେ ରଖିଛି । ପୁଣି ଆଜି ଚେନ୍ନାଇରୁ ୩୩ ଜଣ ଶ୍ରମିକ ସମୁଦ୍ରରେ ଏକ ବୋଟରେ ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀ ଆସୁଥିବା ସୂଚନା ମିଳିଛି । ଏହି ୩୩ଜଣ ଚେନ୍ନାଇର କାଶୀମେଡୁ ଫିସିଙ୍ଗ୍ ହେରବର ନାମକ ଏକ ସଂସ୍ଥାରେ ଗତ ୪ ମାସ ହେଲା କାମ କରିଆସୁଥିଲେ । ତେବେ କରୋନା ଯୋଗୁଁ ସଂସ୍ଥା ବନ୍ଦ ହୋଇଯିବା ଫଳରେ ଖାଇବା ପିଇବାକୁ ନ ପାଇ ବହୁ କଷ୍ଟରେ ଦିନ କାଟୁଥିଲେ । ଏମାନେ ୨ଲକ୍ଷ ୧୦ ହଜାର ଟଙ୍କାରେ ଏକ ବୋଟ୍ କିଣି ଗତ ଗତ ୨୪ତାରିଖରୁ ଚେନ୍ନାଇରୁ ବାହାରିଥିବା ସେମାନଙ୍କ ସମ୍ପର୍କୀୟ ମାନଙ୍କଠାରୁ ସୂଚନା ମିଳିଛି ।

ଅନ୍ୟପଟେ ଚେନ୍ନାଇରୁ ବାହାରିଲା ଦିନଠାରୁ ଆର୍ଯ୍ୟପଲ୍ଲୀ ନାଏବ ସରପଞ୍ଚ ଟି. ବାବାଜୀଙ୍କ ସହ ଯୋଗାଯୋଗରେ ରଖିଥିବା ନାଏବ ସରପଞ୍ଚ ସୂଚନା ଦେଇଛନ୍ତି । ବୋଟ୍ ରେ ଆସୁଥିବା ୩୩ଜଣଙ୍କ ମଧ୍ୟରେ ସାନ ଆର୍ଯ୍ୟପଲ୍ଲୀ ଗାଁର ୨୧ଜଣ, ମାର୍କଣ୍ଡି ଗାଁର ୫ଜଣ, ସୋନପୁରର ଜଣେ, ରାମେୟାପାଟଣାର ଜଣେ, ନୋଳିଆ ନୂଆଁଗାର ଜଣେ , ପୁରୀ ଜିଲ୍ଲାର ଜଣେ ଓ ଆନ୍ଧ୍ରପ୍ରଦେଶର ଦୁଇ ଜଣ ଶ୍ରମିକ ରହିଛନ୍ତି ଏବଂ ସେମାନେ ଆଜି ସଂଧ୍ୟାରେ ଆର୍ଯ୍ୟପଲ୍ଲୀରେ ପହଞ୍ଚିବେ ବୋଲି ସୂଚନା ମିଳିଛି ।