କନକ ବ୍ୟୁରୋ: ଇରାନରେ ଫସିଥିବା ଆଉ ୨୭୫ ଭାରତୀୟ ଆଜି ସ୍ୱଦେଶ ଫେରିଛନ୍ତି । ଏହି ସମସ୍ତ ଭାରତୀୟଙ୍କୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଅଣାଯାଇଛି । ରାଜସ୍ଥାନର ଯୋଧପୁର ବିମାନବନ୍ଦରରେ ପହଁଚିବା ପରେ ସମସ୍ତ ଇରାନ ଫେରନ୍ତାଙ୍କୁ ଆର୍ମିର ୱେଲନେସ୍ ସେଂଟରକୁ ନିଆଯାଇଛି । ବିମାନରୁ ଓହ୍ଲାଇବା ପରେ ସମସ୍ତ ଇରାନ ଫେରନ୍ତାଙ୍କ ଥର୍ମାଲ ସ୍କାନିଂ କରାଯାଇଥିଲା ବିମାନ ବନ୍ଦରରେ । ଏହା ପରେ ସମସ୍ତଙ୍କୁ ସେନାର କ୍ୟାମ୍ପକୁ ନିଆଯାଇଛି । ଏଠାରେ ସମସ୍ତଙ୍କର ଆବଶ୍ୟକ କରୋନା ପରୀକ୍ଷା କରାଯିବ । ସମସ୍ତଙ୍କୁ ଅତି କମରେ ଆର୍ମି ୱେଲନେସ୍ ସେଂଟରରେ ୧୪ ଦିନ ରହିବାକୁ ପଡିବ ।
Rajasthan: Another batch of 275 Indian citizens brought in from Iran, reach Jodhpur. They would be kept at the Indian army's wellness centre. 277 Indians evacuated earlier this month from Iran are already lodged at this centre. #Coronaviruspic.twitter.com/4ifWr539X8
— ANI (@ANI) March 29, 2020
ସେପଟେ, ଦେଶବ୍ୟାପି ଚାଲିଛି ୨୧ ଦିନିଆ ଲକଡାଉନ । ଏହାରି ଭିତରେ ଗାଁକୁ ଫେରିଯିବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ଦେଶର ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକ, ଦିନମଜୁରିଆ ଓ ରିକ୍ସା ଚାଳକ । ପିଲାଛୁଆ ଧରି ଯେମିତି ହେଉ ଗାଁକୁ ଫେରି ଯିବାକୁ ବାହାରିଛନ୍ତି ହଜାର ହଜାର ଶ୍ରମିକ । ବିଶେଷକରି ଦିଲ୍ଲୀ ଉତରପ୍ରଦେଶ ସୀମାରେ ଏହା ଅଧିକ ମାତ୍ରାରେ ଦେଖିବାକୁ ମିଳିଛି । ଉତରପ୍ରଦେଶ ସରକାର ବସ୍ ଯୋଗେ ଯିବା ପାଇଁ ବ୍ୟବସ୍ଥା କରିବା ପରେ ଲୋକାରଣ୍ୟ ହୋଇପଡିଛି ଆନନ୍ଦବିହାର ଅଂଚଳ । ପଡୋଶୀ ରାଜ୍ୟରେ ଫସିଥିବା ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ୧ ହଜାର ବସର ବ୍ୟବସ୍ଥା କରିଛନ୍ତି ୟୁପି ସରକାର ।
ତେବେ ଲକଡାଉନ ସମୟରେ ଲୋକଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବାରମ୍ବାର ପ୍ରତିଶ୍ରୁତି ସତ୍ୱେ ଏମାନେ ଘରକୁ ଫେରିଯିବାକୁ ବାହାରିଛନ୍ତି । କାରଣ, କାମ ବନ୍ଦ ହୋଇଯିବା କାରଣରୁ ସ୍ଥିତି ବିପନ୍ନ ହୋଇଗଲାଣି । କାହା ପାଖରେ ଖାଇବାକୁ ନାହିଁ ତ ଆଉ କାହା ପାଖରେ ରହିବାକୁ ଜାଗା ନାହିଁ । ଦିନ ଯେତିକି ବଢୁଛି ସେତିକି ଅସହାୟ ମନେ କରୁଛନ୍ତି ଏମାନେ । ଲକ୍ଷାଧିକ ଲୋକଙ୍କ ଯନ୍ତ୍ରଣା ବଢାଇଦେଇଛି କରୋନା ।