କାବୁଲ ବିମାନବନ୍ଦର ଉପରେ ପୁଣି ଥରେ ହୋଇପାରେ ଆକ୍ରମଣ : ସତର୍କ କରାଇଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନ୍

123

କନକ ବ୍ୟୁରୋ : କାବୁଲ ଏୟାରପୋର୍ଟ ଉପରେ ପୁଣି ଥରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ । ଏନେଇ ସତର୍କ କରାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ୨୪ରୁ ୩୬ ଘଂଟା ମଧ୍ୟରେ ଆକ୍ରମଣ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ବାଇଡେନ୍ । ଆମେରିକା ସୈନ୍ୟ ଓ ସାଧାରଣ ଲୋକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି । ସୈନ୍ୟ କମାଣ୍ଡର ତାଙ୍କୁ ଏନେଇ ସୂଚନା ଦେଇଥିବା କହିଛନ୍ତି ଜୋ ବାଇଡେନ୍ । ଆମେରିକା ରାଷ୍ଟ୍ରପତି କହିଛନ୍ତି, ପରିସ୍ଥିତି ଯେତେ ବି ଖରାପ ହେଉନା କାହିଁକି ଲୋକଙ୍କୁ ଆଫଗାନିସ୍ତାନରୁ ବାହାରକୁ ଆଣିବା ପାଇଁ ପ୍ରୟାସ ଜାରି ରହିବ । ଗୁରୁବାର କାବୁଲ ଏୟାରପୋର୍ଟରେ ଦୁଇଟି ବିସ୍ଫୋରଣ ହୋଇଥିଲା । ଏଥିରେ ୧୩ ଜଣ ଆମେରିକା ସୈନିକଙ୍କ ମୃତ୍ୟୁ ହୋଇଥିଲା । ଏହାର ପ୍ରତିଶୋଧ ନେଇଥିଲା ଆମେରିକା । ଆଇଏସଆଇଏସ- ଖୋରାସାନର ଆଡ୍ଡା ଉପରେ ଆକ୍ରମଣ କରିଥିଲେ ଆମେରିକା ସେନା ।

ସେପଟେ ତାଲିବାନ ଦ୍ୱାରା ବାଗ୍ରାମ୍ ଜେଲରୁ ମୁକ୍ତ ହେବା ପରେ ଅତି କମରେ ୧୪ ଜଣ କେରଳୀ ଇସ୍ଲାମିକ୍ ଷ୍ଟେଟ୍-ଖୁରାସାନ୍ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିବା ଜଣାପଡ଼ିଛି । ଯାହାକି ଭାରତ ପାଇଁ ଚିନ୍ତା ବଢାଇ ଦେଇଛି । କେରଳରୁ ଯାଇଥିବା ଏହି ଯୁବକମାନେ ଭାରତ ବାହାରେ ଅତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ରହିଲେ ଭାରତ ବଦନାମ ହେବ ଓ ଆଇଏସ୍ ସେମାନଙ୍କ ଭାରତ ବିରୋଧରେ ବ୍ୟବହାର କରିବେ । ଏହି ଆତଙ୍କବାଦୀମାନେ ଅଗଷ୍ଟ ୨୬ରେ କେତେକ ପାକ୍ ଆତଙ୍କବାଦୀଙ୍କ ସହିତ କାବୁଲସ୍ଥିତ ତୁର୍କମେନିସ୍ତାନ ଦୂତାବାସରେ ବିସ୍ଫୋରଣ ଘଟାଇବାକୁ ଯାଉଥିଲେ । ସେମାନଙ୍କୁ ସୁନ୍ନି ପାସ୍ତୁନ ଆତଙ୍କବାଦୀମାନେ ଅଟକାଇଥିବା ଜଣାପଡ଼ିଛି । ଫଳରେ ଏକ ବଡ଼ ଧରଣର ଆକ୍ରମଣ ଯୋଜନା ପଣ୍ଡ ହୋଇଛି ।