ସାରୁଅ ଜମି ଦୁର୍ନୀତି ମାମଲାରେ ଆଉ ଜଣେ ଗିରଫ । ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଶିବପ୍ରସାଦଙ୍କ ହାତରେ ଥିଲା ଓଡିଶା ଇନଫ୍ରାଟେକର ପାୱାର ଅଫ ଆଟର୍ଣ୍ଣ

126

କନକ ବ୍ୟୁରୋ : ସାରୁଅ ଜମି ଦୁର୍ନୀତି ମାମଲାରେ ବୃଦ୍ଧି ପାଇଲା ଗିରଫଦାରୀ । ଏହ ମାମଲାରେ ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ କରି ପଚରାଉଚରା କରୁଛି ଇଓଡବ୍ଲୁ । ଶିବପ୍ରସାଦଙ୍କ ହାତରେ ଥିଲା ଓଡିଶା ଇନଫ୍ରାଟେକର ପାୱାର ଅଫ ଆଟର୍ଣ୍ଣ ।

ଗତକାଲି ଖୋର୍ଦ୍ଧା ସାରୁଅ ଜମି ଦୁର୍ନତି ମାମଲାରେ କ୍ରାଇମବ୍ରାଞ୍ଚ ଓଟିଭର ସିଏଫଓ ତଥା ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ମନୋରଞ୍ଜନ ଷଡଙ୍ଗୀଙ୍କୁ ଗିରଫ କରିଥିଲା । ଆଜି ତାଙ୍କୁ ଅଧିକ ପଚରାଉଚରା ପାଇଁ ୨ ଦିନିଆ ରିମାଣ୍ଡରେ ନେଇଛି ତଦନ୍ତକାରୀ ଏଜେନ୍ସି । ମନୋରଂଜନ ଷଡଙ୍ଗୀଙ୍କ ବିରୋଧରେ ବିଭିନ୍ନ ଦଫା ଲଗାଯାଇଛି । ତେବେ କିଭିଳି ହୋଇଥିଲା ସାରୁଅ ଜମି ଦୁର୍ନୀତି ସେ ନେଇ ତଥ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି ।

ମିଳିଥିବା ସୂଚନା ଅନୁସାରେ,୨୦୧୦ ମସିହାରେ ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶିକା ପଦରୁ ଓଟିଭି ଏମଡି ଜାଗିମଙ୍ଗତ ପଣ୍ଡା ଇସ୍ତଫା ଦେବା ପରେ ମନୋରଞ୍ଜନ ଷଡଙ୍ଗୀ ଓ ବିଭୁ ରଥଙ୍କୁ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଥିଲା । ଏହାପରେ ଜୁନ ୨୦୧୦ଠାରୁ ସଂପୃକ୍ତ କମ୍ପାନୀ ଖୋର୍ଧାର ସାରୁଅରେ ଜମି କିଣିବା ପ୍ରକ୍ରିୟା ଆରମ୍ଭ କରିଥିଲା । ସେଠାରେ ଥିବା କିଛି ଅନୁସଚିତ ଜାତିଙ୍କ ଜମି କିଣିଥିଲା କମ୍ପାନୀ । ଆଇନ ଅନୁସାରେ, ଅନୁସୂଚିତ ଜାତି ଓ ଜନଜାତିଙ୍କ ବ୍ୟକ୍ତିଙ୍କ ନାଁରେ ଥିବା କୌଣସି ଜମିକୁ ଏକ ସାଧାରଣ ବର୍ଗର ବ୍ୟକ୍ତି କିଣିପାରିବ ନାହିଁ । ଆଉ କିଣାବିକା ହେଲେ ସଂପୃକ୍ତ ଜାତି ଓ ଜନଜାତି ଯେଭଳି ଭୂମିହୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ରଖାଯିବା ଜରୁରୀ ।

ତେବେ ୨୦୧୦ରୁ ୨୦୧୩ ମଧ୍ୟରେ ଏହି ଜମିକୁ ଶାଗମାଛ ଦରରେ କିଣାଯାଇଥିଲା । ଆଉ କମ୍ପାନୀର ଜଣେ ନିର୍ଦ୍ଦେଶକଙ୍କଠାରେ ଜଣେ ଡ୍ରାଇଭର ଥିବା ରବି ସେଠୀ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଏହାକୁ କିଣାଯାଇଥିଲା । କିନ୍ତୁ ଜମିର ମାଲିକାନା ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ ନାଁରେ କରାଯାଇଥିଲା । ରବିଙ୍କ ବୟାନ ଅନୁସାରେ, ତାଙ୍କ ଅଜାଣତରେ ବିଭିନ୍ନ କାଗଜପତ୍ରରେଦସ୍ତଖତ ନିଆଯାଇଥିଲା । ସେଲଡିଡରେ ଜମିର ମୂଲ୍ୟ ୬୫ ଲକ୍ଷ ଦର୍ଶାଯାଇଥିବାବେଳେ ତାଙ୍କୁ ୨ରୁ ୩ ଲକ୍ଷ ଦିଆଯିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା ।