କନକ ବ୍ୟୁରୋ : ସେପଟେ ଆଇଏଫଏସ ଅଧିକାରୀ ଅଭୟକାନ୍ତଙ୍କ ନାଁରେ ଆସିଛି ଆଉ ଏକ ସାଂଘାତିକ ଅଭିଯୋଗ । କୋରାପୁଟରେ ଚାକିରି କରୁଥିବା ସମୟରେ ଅଭୟ ଜଣେ ଯୁବତୀଙ୍କୁ ଚାକିରି କରାଇବାର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି କୋରାପୁଟର ଆଇନଜୀବୀ ସାଇ ରାଜୁ ।
ସେ କହିଛନ୍ତି ଅଭୟକାନ୍ତ ଫରେଷ୍ଟ କନଜରଭେଟର ଥିବା ସମୟରେ ଜଣେ ଯୁବତୀଙ୍କୁ ଚାକିରି ଦେବାକୁ କହି ତାଙ୍କ ସହିତ ଏପରି ଅସଦାଚରଣ କରିଥିଲେ । ଏପରିକି ମାମଲା ପୋଲିସ ଏବଂ କୋର୍ଟଙ୍କ ପାଖକୁ ଯେତେବେଳେ ଆସିଥିଲା, ସେତେବେଳେ ଏହାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ ଅଭୟ । କେବଳ କୋଟି କୋଟି ଟଙ୍କା ହେରଫେର ନୁହେଁ, ଯୁବତୀଙ୍କୁ ଦୁଷ୍କର୍ମ ଭଳି ଅଭିଯୋଗ ମଧ୍ୟ ଆସିଛି ଏହି ବାବୁଙ୍କ ନାଁରେ ।
ଆଇଏଫଏସ ଅଭୟକାନ୍ତଙ୍କୁ ଆଜି ଭିଜିଲାନ୍ସ ଆୟବହିର୍ଭୁତ ମାମଲାରେ ଗିରଫ କରିଛି । ତାଙ୍କ ସହ ତାଙ୍କ ପୁଅକୁ ମଧ୍ୟ କରାଯାଇଛି । ଜାମିନ ଆବେଦନ ଖାରଜ ହେବା ପରେ ବାପ-ପୁଅଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛି ଭିଜିଲାନ୍ସ । ଅନ୍ୟପକ୍ଷ ଗିରଫ ହେବାପରେ ଅଭୟକାନ୍ତଙ୍କୁ ପଦବୀରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର ।