ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ । ଆକାଶ ପାଠକ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଗଞ୍ଜାମ ଏସପିଙ୍କ ପାଖରେ ଅଭିଯୋଗ କଲା ବିଜେପି

153

କନକ ବ୍ୟୁରୋ : ପୁଣି ଅଡୁଆରେ ଆକାଶ ପାଠକ । ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଗୋପାଳପୁରର ଶହ ଶହ ଯୁବକଙ୍କଠାରୁ ଠକେଇ ହୋଇଥିବା ଅଭିଯୋଗ । ଆକାଶ ପାଠକଙ୍କ ସହାୟତାରେ ଗୋପାଳପୁର ବିଧାୟକଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀ କୋଟି କୋଟି ଟଙ୍କା ଆଦାୟ କରିଛନ୍ତି । ଏନେଇ ଗଞ୍ଜାମ ଏସପିଙ୍କ ପାଖରେ ଲିଖିତ ଅଭିଯୋଗ କରିଛି ଗଞ୍ଜାମ ବିଜେପି ।

ଅଭିଯୋଗରେ ଦର୍ଶାଯାଇଛି ଯେ, ବାର୍ଷିକ ୬ ଲକ୍ଷ ଟଙ୍କା ମୋଟା ଦରମାର ପ୍ରଲୋଭନ ଦେଖାଇ ୬୮ ଜଣଙ୍କୁ ଜାଲ ଲେଟର ଅଫ ଇଣ୍ଟେଣ୍ଟ ଦେଇ ଆକାଶ ପାଠକ ଓ ବିଧାୟକ ବ୍ୟାପକ ଠକେଇ କରିଛନ୍ତି । ତେବେ ଆକାଶ ପାଠକ ଗିରଫ ହେବା ପରେ ଟଙ୍କା ଦେଇଥିବା ଯୁବକମାନଙ୍କୁ ବାହାରେ ପାଟି ନଖୋଲିବାକୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଧମକ ଦେଇଥିବା ଅଭିଯୋଗ ହୋଇଛି ।

ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ଗିରଫ ହେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ ବଢିଯାଇଛି । ଆକାଶ ପାଠକଙ୍କ ସହ ଲିଙ୍କ ଥିବା ଅଭିଯୋଗରେ ଆଜି ବିଜେଡିରୁ ବହିଷ୍କାର ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ ।