ଓଡ଼ିଶାରେ ଅଧିକ ସୁଧ ଲୋଭ ଦେଖାଇ ଠକେଇ ଅଭିଯୋଗ : ବିଦେଶୀ କମ୍ପାନୀ କ୍ୟୁ-ନେଟର ଜଣେ କର୍ମଚାରୀ ଗିରଫ

132

କନକ ବ୍ୟୁରୋ : ଅଧିକ ସୁଧର ଲୋଭ ଦେଖାଇ ଓଡ଼ିଶାରୁ କୋଟିଏରୁ ଅଧିକ ଟଙ୍କା ଠକି ନେଇଥିବା ବିଦେଶ କମ୍ପାନୀ କ୍ୟୁ-ନେଟ୍ର ଆଉ ଜଣେ କର୍ମଚାରୀ ଗିରଫ । କେନ୍ଦ୍ରାପଡ଼ା ଡେରାବିଶ ଥାନା ପଲାଇ ଗାଁର ଅରବିନ୍ଦ କୁମାରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ୫ ବର୍ଷରେ ଶହେ ଗୁଣା ଫେରସ୍ତର ଲୋଭ ଦେଖାଇ ହଂକଂର ଏହି ଅର୍ଥ ଲଗାଣକାରୀ ସଂସ୍ଥା ଦେଶରୁ ଶହେ କୋଟି ଟଙ୍କା ଠକି ନେଇଥିଲା । ସେ ନାମଦାମୀ କଳାକାରଙ୍କୁ ମଧ୍ୟ ଏହି ଜାଲରେ ଫସାଇଥିଲା ।

ଓଡ଼ିଶାରୁ ମଧ୍ୟ ଶତାଧିକ ଲୋକଙ୍କଠାରୁ କୋଟିଏରୁ ଅଧିକ ଟଙ୍କା ଲୁଟି ନେଇଥିଲା । ପ୍ରତିଶ୍ରୁତି ମୁତାବକ କମ୍ପାନୀ ଲୋକଙ୍କୁ ଟଙ୍କା ନଫେରାଇବାରୁ ୨୦୧୯ ସେପ୍ଟେମ୍ବରରେ ମାମଲା ରୁଜୁ ହୋଇଥିଲା । ଠକେଇର ପରିମାଣ କୋଟିଏ ଟପିଯିବାରୁ ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା । ଏହି ଘଟଣାରେ ତେଲେଙ୍ଗାନାରେ ରାଜ୍ୟର ୭୦ ଜଣ ଗିରଫ ହୋଇସାରିଥିବା ବେଳେ ଆମ ରାଜ୍ୟରେ ଇଓଡବ୍ଲୁ ଶରତ କୁମାର ପରିଡ଼ା, ଦେବବ୍ରତ ହରିଚନ୍ଦନ, ଚନ୍ଦନ କୁମାର ମହାଲିକ, ପ୍ରଶାନ୍ତ କୁମାର ମହାଲିକ୍ ପ୍ରମୁଖଙ୍କୁ ବାନ୍ଧି ସାରିଥିବା ଜଣାପଡ଼ିଛି ।