ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନା ଭୂତାଣୁରୁ ଆଉ ୭୩ ସୁସ୍ଥ । ୧୧ ଜିଲ୍ଲାରୁ ନୂଆ ସୁସ୍ଥଙ୍କୁ ମିଶାଇ ହଜାରେ ଟପିଲା ସୁସ୍ଥଙ୍କ ସଂଖ୍ୟା ।

4,615

କନକ ବ୍ୟୁରୋ: ରାଜ୍ୟ ବାସୀଙ୍କ ପାଇଁ ଖବର ଆସିଛି । ଆଜି ୭୩ଜଣ ସୁସ୍ଥ ହୋଇଥିବା ବେଳେ ସୁସ୍ଥ ସଂଖ୍ୟା ୧୦୦୦ ପାର ହୋଇଛି । ନୂତନ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦୫୦ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ୭୩ଜଣଙ୍କ ମଧ୍ୟରେ ବୌଦ୍ଧରୁ ୨୮ଜଣ, ପୁରୀରୁ ୧୧ଜଣ, କେନ୍ଦ୍ରାପଡାରୁ ୧୦ଜଣ, କଟକରୁ ୯ଜଣ, ଖୋର୍ଦ୍ଧାରୁ ୭ଜଣ, ମାଲକାନଗିରି ଓ ଅନୁଗୁଳରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମ, ବାଲେଶ୍ୱର, ଯାଜପୁର ଓ କନ୍ଧମାଳରୁ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ତେବେ ସୁସ୍ଥ ସଂଖ୍ୟା ୧୦୫୦ରେ ପହଁଚିଥିବା ବେଳେ ରାଜ୍ୟରେ ବର୍ତମାନ ୭୬୦ଟି ସକ୍ରିୟ ମାମଲା ରହିଛି । ଏହା ସହ ମୋଟ ୧୮୧୯ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ୭୩ଜଣ ସୁସ୍ଥ ହୋଇଥିବା ବେଳେ ଆଜି ରାଜ୍ୟରେ ପୁଣି ୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯କୁ ବୃଦ୍ଧି ପାଇଥିଲା । ଆଜି ୧୮ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କେନ୍ଦ୍ରାପଡ଼ା ଓ ଗଜପତି ଜିଲ୍ଲାରୁ ସର୍ବାଧିକ ୧୦ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଲେ ଗଞ୍ଜାମ, ଯାଜପୁର, କଟକ, ଜଗତସିଂହପୁରରୁ ୬ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭଦ୍ରକ , ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୭ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ଓ ଦେବଗଡ଼ରୁ ୪ ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲାରୁ ୫ ଓ ନୂଆପଡ଼ା ଜିଲ୍ଲାରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି ।