ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତ । ୧୪୮୧ରେ ପହଞ୍ଚିଲା ମୋଟ ସୁସ୍ଥଙ୍କ ସଂଖ୍ୟା

1,587

କନକ ବ୍ୟୁରୋ: ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲା ଆଉ ୬୫ ଆକ୍ରାନ୍ତ । ରାଜ୍ୟରେ ଆଜି ୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ ୧୪୮୧ଜଣ ସୁସ୍ଥ ହୋଇଛନ୍ତି ।

ତେବେ ସୁସ୍ଥ ହୋଇଥିବା ନୂଆ ୬୫ ଜଣଙ୍କ ମଧ୍ୟରେ ଗଂଜାମରୁ ୧୪ ଜଣ, ଜଗତସିଂହପୁର ଓ କେନ୍ଦ୍ରାପଡାରୁ ୧୦ ଜଣ ଲେଖାଏଁ ଭଦ୍ରକରୁ ୮ଜଣ ଓ କେନ୍ଦୁଝରରୁ ୭ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ବଲାଙ୍ଗୀରରୁ ୬ ଜଣ, ଖୋର୍ଦ୍ଧାରୁ ୩ ଜଣ, ବାଲେଶ୍ୱର ଓ ଯାଜପୁରରୁ ୨ ଜଣ ଲେଖାଏଁ ଏବଂ ଢେଙ୍କାନାଳ, ଝାରସୁଗୁଡା ଓ କନ୍ଧମାଳରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ତେବେ ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଆଜି ରାଜଧାନୀରୁ ନୂଆ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମ୍ସର ଜଣେ କର୍ମଚାରୀଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ଭୁବନେଶ୍ୱରରେ ପୁଣି ନୂଆ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜଧାନୀରୁ ଫେରିଛି କରୋନା । ତେବେ ଜଣେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କଳିଙ୍ଗ ବିହାରର ଜଣେ ବ୍ୟକ୍ତି ଯେ ହୋମ କ୍ୱାରେଂଟିନରେ ଥିଲେ ତାଙ୍କ ଦେହରେ କରୋନା ଭୂତାଣୁ ଥିବା ଜଣାପଡିଛି । ଏହାସହ ୩ଜଣ ସ୍ଥାନୀୟ ବାସିନ୍ଦା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମସି ଟ୍ୱିଟ କରି ସୂଚନା ଦେଇଛି ।

ତେବେ ଆଜି ସକାଳୁ ରାଜ୍ୟରେ ୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ଜଣ କ୍ୱାରେଣ୍ଟାଇନ ସେଂଟରର ହୋଇଥିବା ବେଳେ ୧୧ ଜଣ ସ୍ଥାନୀୟ ବାସିନ୍ଦାଙ୍କ ନମୂନା ପଜିଟିଭ ବାହାରିଛି । ଖୋର୍ଦ୍ଧାରେ ସର୍ବାଧିକ ୨୫, ଗଂଜାମରେ ୨୨, ଢେଙ୍କାନାଳରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକରୁ ୯, ନୟାଗଡରୁ ୭ ଜଣ ଏବଂ ସୁନ୍ଦରଗଡ ଓ କଟକରୁ ୫ ଜଣ ଲେଖାଏଁ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ପୁରୀରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ, ବାଲେଶ୍ୱର, କଳାହାଣ୍ଡି ଓ ବରଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।