ଆଜି ଚିହ୍ନଟ ହୋଇଥିବା ସମସ୍ତ ୫ ପଜିଟିଭ୍ ବାଲେଶ୍ୱରର: ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଞ୍ଚିଲା; ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି

ବର୍ତ୍ତମାନ ରାଜ୍ୟରେ ୭୨ ଆକ୍ଟିଭ୍ କେସ, ସୁସ୍ଥ ହେଲେଣି ୩୫

488

କନକ ବ୍ୟୁରୋ: ଆଜି ରାଜ୍ୟରେ ପୁଣି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ତେବେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଜି ଚିହ୍ନଟ ହୋଇଥିବା ସମସ୍ତ ୫ ନୂଆ ଆକ୍ରାନ୍ତ ବାଲେଶ୍ୱରର ହୋଇଥିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପାଂଚ ନୂଆ ଆକ୍ରାନ୍ତଙ୍କୁ ମିଶାଇ ବାଲେଶ୍ୱର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଂଚିଛି ।

ସେପଟେ, ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ବାଲେଶ୍ୱରର କେଉଁ ଅଂଚଳର ଏବଂ ସେମାନେ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି କିମ୍ବା ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରୀ ପୂର୍ବ ଆକ୍ରାନ୍ତଙ୍କ ସହ ରହିଛି କି ନାହିଁ ତାହା ସ୍ପଷ୍ଟ କରିନି ସ୍ୱାସ୍ଥ୍ୟ ବିଭାଗ । କେବଳ ବାଲେଶ୍ୱରରୁ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର େଓବସାଇଟରେ ଜାରି ହୋଇଥିବା ମ୍ୟାପରେ ଦର୍ଶାଯାଇଛି ।

ଅନ୍ୟପଟେ, ରାଜ୍ୟରେ କରୋନା ସଂକ୍ରମିତଙ୍କ ମଧ୍ୟରେ ୩୫ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ୭୨ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତକାଲି ଗୋଟିଏ ଦିନରେ ରାଜ୍ୟରେ ମୋଟରେ ୨ ହଜାର ୨୮୭ ଟି ନମୁନା ପରୀକ୍ଷା ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟରେ ୨୫ ହଜାର ୧୦୩ଟି ନମୁନା ପରୀକ୍ଷା କରାଗଲାଣି ।