ସେବାୟତଙ୍କ ସ୍ୱାସ୍ଥ୍ୟ ଚିନ୍ତା । ବାହୁଡ଼ା ଯାତ୍ରା ପୂର୍ବରୁ ସେବାୟତଙ୍କ ଦୁଇ ଦୁଇ ଥର ହେବ କରୋନା ପରୀକ୍ଷା । ଗୁଣ୍ଡିଚା ଯାତ୍ରାରେ ସାମିଲ ଥିବା ସବୁ ବିଭାଗର କର୍ମଚାରୀଙ୍କ ମଧ୍ୟ ହେବ କୋଭିଡ୍ ଟେଷ୍ଟ, ଭକ୍ତଙ୍କୁ ବଡ଼ଦାଣ୍ଡକୁ ନଆସିବାକୁ ପରାମର୍ଶ ଦେଲେ ଡିଜିପି ।

278

କନକ ବ୍ୟୁରୋ: ସରକାରଙ୍କୁ ସେବାୟତଙ୍କ ସ୍ୱାସ୍ଥ୍ୟୃ ଚିନ୍ତା । ବାହୁଡ଼ା ଭିତରେ ଦୁଇ ଥର ହେବ କରୋନା ପରୀକ୍ଷା । ଖୁବ୍ କମ ସମୟ ମଧ୍ୟରେ ଗୁଣ୍ଡିଚା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସଂପାଦନ ହୋଇଥିବାରୁ ପୁରୀ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଏବଂ ବିଶେଷ କରି ସେବାୟତଙ୍କୁ ଧନ୍ୟବାଦ ଦେଇଛନ୍ତି ରାଜ୍ୟ ସରକାର । ଏବେ ସରକାରଙ୍କୁ ଘାରିଛି ସେବାୟତଙ୍କ ସ୍ୱାସ୍ଥ୍ୟ ଚିନ୍ତା । ସେବାୟତଙ୍କ କରୋନା ପରୀକ୍ଷା କାଲିଠାରୁ ଆରମ୍ଭ ହେବାକୁ ଯାଉଛି ।

ବାହୁଡ଼ା ପୂର୍ବରୁ ଦୁଇ ଥର କୋଭିଡ୍ ଟେଷ୍ଟ କରାଯିବ । ଯେଉଁ ସେବାୟତଙ୍କ କୋଭିଡ-ନେଗେଟିଭ ଆସିବ, ସେମାନେ ରଥର ଦକ୍ଷିଣ ମୋଡ ଓ ବାହୁଡ଼ା ଯାତ୍ରାରେ ସାମିଲ ହେବେ । ଏହାସହ ଗୁଣ୍ଡିଚା ଯାତ୍ରାରେ ବଡଦାଣ୍ଡରେ ଥିବା ଅନ୍ୟ ସମସ୍ତ ବିଭାଗର ଅଧିକାରୀ, କର୍ମଚାରୀ ଓ ପୁଲିସ କର୍ମଚାରୀଙ୍କ ମଧ୍ୟ କୋଭିଡ ପରୀକ୍ଷା କରାଯିବ ।

ରଥଯାତ୍ରାରେ ସାମିଲ ହୋଇଥିବା ସେବାୟତଙ୍କ ପରିବାରର ସୁରକ୍ଷା ପାଇଁ ବିଶେଷ ଧ୍ୟାନ ଦେଇଛନ୍ତି ସରକାର । ସେବାୟତ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ପୁରୀରେ ୨ଟି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଖୋଲାଯିବ । ଏହି ଶିବିରରେ ୨ ଜଣ ଲେଖାଁଏ ଡାକ୍ତର ଓ ଆବଶ୍ୟକୀୟ ସ୍ୱାସ୍ଥ୍ୟ କର୍ମୀ ରହିବେ । ଏହା ସହ ସେବାୟତଙ୍କ ପରିବାରକୁ ସଚେତନ କରିବା ପାଇଁ ଟିମ୍ ଗଠନ କରାଯାଇଛି ।

ପ୍ରାଥମିକ ସ୍ତରରେ ରଥଯାତ୍ରାରେ ନିୟୋଜିତ ୫୦୦ ପୁଲିସ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯାଇଛି । ସେପଟେ ପୁରୀକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି ପୁଲିସ ଡିଜି । ଟ୍ୱିଟ କରି ଡିଜିପି ଅଭୟ କହିଛନ୍ତି,  ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ନାହିଁ । ପୁରୀର କିଛି ସ୍ଥାନରେ  କର୍ଫ୍ୟୁ ବଳବତର ରହିଥିବାରୁ  ଭକ୍ତଙ୍କୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।