କନକ ବ୍ୟୁରୋ : ଆମେରିକାରେ ଡିସେମ୍ବର ମାସ ମଧ୍ୟରେ କରୋନା ସଂକ୍ରମଣରେ ଆହୁରି ୧ ଲକ୍ଷ ଲୋକଙ୍କର ମୃତ୍ୟୁ ହେବ । ଏଭଳି ଆଶଂକା କରିଛନ୍ତି ଆମେରିକାର ସବୁଠାରୁ ବଡ ଡାକ୍ତର ତଥା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଏଲର୍ଜି ଆଣ୍ଡ ଇନଫେକସନ ରୋଗର ନିର୍ଦ୍ଦେଶକ ଡ. ଏନ୍ଥୋନୀ ଫାଉଚି । ଜାତୀୟ ଗଣମାଧ୍ୟମ ସହ ବାର୍ତ୍ତାଳାପ ବେଳେ ଫାଉଚି କହିଛନ୍ତି କି, ଆଗାମୀ ୪ ମାସ ମଧ୍ୟରେ କରୋନା ସଂକ୍ରମଣରେ ଆମେରିକା ପୁଣି ୧ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇପାରେ ଓ ଏହି ମୃତକ ମାନଙ୍କ ମଧ୍ୟରେ ସର୍ବାଧିକ ଟିକା ନେଇ ନଥିବା ଲୋକ ରହିବେ । ଏହି ଗଣନା ୱାସିଂଟନ ୟୁନିଭରସିଟି ମଡେଲ ଉପରେ ଆଧାରିତ ବୋଲି ସେ କହିଛନ୍ତି ।

Advertisment

ଡ. ଫାଉଚି କହିଛନ୍ତି କି କରୋନା ମହାମାରୀରେ ଆମେ ଯେଉଁ ସ୍ଥିତି ଦେଇ ଗତି କରୁଛୁ ସେଥିରେ ସଠିକ ଆଶଂକା କରିବାରେ କିଛି ଅସୁବିଧା ନାହିଁ । ଆମେ ଏଭଳି ମୃତ୍ୟୁକୁ ଟିକା ମାଧ୍ୟମରେ ରୋକିପାରିବା ବୋଲି ସେ କହିଛନ୍ତି । ଏନେଇ ଟିକାକରଣ ଅଭିଯାନକୁ ଆହୁରି ଦ୍ରୁତ କରିବାକୁ ପଡିବ ବୋଲି ସେ ପରାମର୍ଶ ଦେଇଛନ୍ତି । ଫାଉଚିଙ୍କ ସୂଚନା ମୁତାବକ ଏପର୍ଯ୍ୟନ୍ତ ଆମେରିକାରେ ୮ କୋଟି ଲୋକ ଟିକା ନେଇ ନାହାନ୍ତି । ଏହିମାନେ ହିଁ କରୋନା ମହାମାରୀକୁ ପୁଣିଥରେ ନିମନ୍ତ୍ରଣ କରିବେ ବୋଲି ସେ କହିଛନ୍ତି ।

ଡ.ଆନ୍ଥୋନୀ ଫାଉଚି କହିଛନ୍ତି କି ଯଦି ଆମେରିକାର ସ୍ୱାସ୍ଥ୍ୟ ବିଭାଗ ଭ୍ୟାକ୍ସିନେସନ କାର୍ଯ୍ୟକ୍ରମ ଉପରେ ଆହୁରି ଫୋକସ କରି ଅଧିକର ଅଧିକ ଲୋକଙ୍କୁ ଟିକା ଦେଇ ପାରନ୍ତା ତେବେ ଏଭଳି ସମସ୍ୟା ଆସିବା ପୂର୍ବରୁ ତାକୁ ରୋକାଯାଇ ପାରନ୍ତା । ଅନ୍ୟପଟେ ରାଜନୈତିକ ଚକ୍ରବ୍ୟୁହ ମଧ୍ୟରେ ନ ଫଶି ଲୋକମାନେ ତୁରନ୍ତ ଟିକା ନେବାକୁ ସେ ପରାମର୍ଶ ଦେଇଛନ୍ତି ।

କହିରଖୁ କି ଏବେ ଆମେରିକାରେ ଦୈନିକ କରୋନା ସଂକ୍ରମଣ ୧.୫୫ ଲକ୍ଷ ମଧ୍ୟରେ ରହିଛି । ସେମାନଙ୍କ ମଧ୍ୟରୁ କିଛି ଲୋକ ମେଡିକାଲରେ ଭର୍ତ୍ତି ହେଉଥିବା ବେଳେ କିଛି ଘରେ ପୃଥକବାସରେ ରହି ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଗତ ସପ୍ତାହ ଠାରୁ ଦକ୍ଷିଣ ଆମେରିକାରେ ଅକ୍ସିଜେନ ଅଭାବ ନେଇ ଅଭିଯୋଗ ଆସୁଛି ।